ଜୟପୁର, ୧୨ ଜୁନ୍ (ହି.ସ.)- ଗାଁ ର ଛୋଟରୁ ବଡ଼ ସମସ୍ତେ ଏକାଠି ହୋଇଛନ୍ତି l କିଏ ଟ୍ରାକ୍ଟର ସାହାଯ୍ୟରେ ମାଟି ଆଣି ଢାଳୁଛି ତ ଆଉ କିଏ ହାତରେ କୋଡ଼ି କୋଦାଳ ଧରି ମାଟି ବିଛାଉଛି l ସମସ୍ତେ ମିଶି ନିଜ ରାସ୍ତା ନିଜେ ତିଆରି କରୁଛନ୍ତି l କାରଣ ଏଠାରେ ୨ ମାସ ତଳେ ମନେରେଗା ଯୋଜନରେ ନିର୍ମାଣ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା l ଏଣୁ ଗାଁ ଲୋକେ ନିଜସ୍ୱ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ l ଏ ଦୃଶ୍ୟଟି ହେଉଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବାଲିଗାଁର l ଏହି ପଞ୍ଚାୟତର ଚାରି ଖଣ୍ଡ ଗ୍ରାମବାସୀ ମିଶି ନିଜସ୍ୱ ଖର୍ଚ୍ଚରେ ନିର୍ମାଣ କରୁଛନ୍ତି ରାସ୍ତା l ବାଲିଗାଁ ଠାରୁ କଦମଗୁଡା ୩ କିଲୋମିଟର ଏବଂ ବାଲିଗାଁ ଠାରୁ ମନ୍ତ୍ରୀଗୁଡା ୩ କିଲୋମିଟର ମୋଟରେ ପ୍ରାୟ ୬ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି l ଦୀର୍ଘ ବର୍ଷର ସମସ୍ୟାକୁ ନେଇ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବହୁବାର ଦାବୀ ପରେ ପଂଚାୟତ ପକ୍ଷରୁ ମନେରେଗା ଯୋଜନାରେ ଦୁଇ ମାସ ତଳେ ମାଟି ରାସ୍ତା ନିର୍ମାଣ କରାଯାଇଥିଲା, କିନ୍ତୁ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ଏଣୁ ବାଧ୍ୟ ହୋଇ ଆଜି ପଂଚାୟର କଦମଗୁଡା, ବରେଇଗୁଡା, ମନ୍ତ୍ରୀଗୁଡା, ଖପରାପୁଟର ଗାଁ ଲୋକେ ମିଶି ନିଜସ୍ୱ ଖର୍ଚ୍ଚରେ ରାସ୍ତା ନିର୍ମାଣ କରିଛନ୍ତି l ଏବେ ପକ୍କା ରାସ୍ତା ପାଇଁ ଦାବୀ ଉଠିଛି l
ସ୍ଥାନୀୟ ସରପଞ୍ଚ ଗରର୍ଦ୍ଧନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମନରେଗା ଯୋଜନାରେ କଲଭର୍ଟ ସହ ରାସ୍ତା ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ଥିଲା l ଏ ଘଟଣାର ତଦନ୍ତ କରିବା ସହ ପକ୍କା ରାସ୍ତା ପାଇଁ ଜିଲ୍ଲାପାଳଙ୍କୁ ଇଣାଇବେ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି