ଶ୍ରୀ ଅଲାରନାଥଙ୍କ ଅଣସର ବେଶ ଦର୍ଶନ ଆରମ୍ଭ
ପୁରୀ, ୧୨ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଆଜି ଠାରୁ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଏହା ୧୪ ଦିନ ଧରି ଚାଲିବ । ଆଜି ପ୍ରଥମ ଦିନରେ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ କରି ଶ୍ରୀ ଅଲାରନାଥ ଖିରିପ୍ରିୟ ହୋଇଥିବାରୁ ଅନେକ ଭକ୍ତ ଖ
ଶ୍ରୀ ଅଲାରନାଥ (ଫାଇଲ ଫଟୋ)


ପୁରୀ, ୧୨ ଜୁନ୍ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଆଜି ଠାରୁ ଅଣସର ବେଶ ଦର୍ଶନ ଆରମ୍ଭ ହୋଇଛି । ଏହା ୧୪ ଦିନ ଧରି ଚାଲିବ । ଆଜି ପ୍ରଥମ ଦିନରେ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ କରି ଶ୍ରୀ ଅଲାରନାଥ ଖିରିପ୍ରିୟ ହୋଇଥିବାରୁ ଅନେକ ଭକ୍ତ ଖିରି ପ୍ରସାଦ ସେବନ ସହ ପ୍ରସାଦ ନେଉଥିବା ଦେଖିବାକୁ ମିଳିଛି । ଅଣସର ସମୟରେ ଶ୍ରୀ ଅଲାରନାଥ ଚତୁର୍ଦ୍ଧାମୂର୍ତି ନାରାୟଣଙ୍କ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଏହି ସମୟରେ ଭକ୍ତ ମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ନପାଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ବିଶ୍ୱାସ ରହିଛି, ବର୍ଷକ ଯାକ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଭକ୍ତଙ୍କୁ ଯେତିକି ପୂର୍ଣ୍ଣ୍ୟ ଫଳ ମିଳିଥାଏ । ଅନବସର ସମୟରେ ଗୋଟିଏ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୂର୍ଣ୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଅନ୍ନବସର ସମୟରେ ଶ୍ରୀ ଅଲାରନାଥଙ୍କ ପ୍ରତିଦିନ ବିଭିନ୍ନ ଅଣସର ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀ ଅଲାରନାଥଙ୍କ ପ୍ରିୟ ଭୋଗ ମଧ୍ୟରେ କ୍ଷିରୀ ଅନ୍ୟତମ । ଆଜି ପ୍ରଥମ ଦିନରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋରରୁ ମନ୍ଦିର ଦ୍ୱାରଫିଟା, ପରେ ମଙ୍ଗଳଆଳତୀ, ତଡ଼ପଲାଗି, ଅବକାଶ, ସକାଳ ଧୂପ ସମ୍ପନ୍ନ ହୋଇଛି । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି ।

ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡ଼, ବ୍ରହ୍ମଗିରି ଥାନା ଓ ବ୍ଲକ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀ ଅଲାରନାଥଙ୍କ ମନ୍ଦିର ଭିତରେ ଓ ବାହାରେ ୫୦ଟି ସିସିଟିଭି ଲଗାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande