କୋରେଇ, ୧୩ ଜୁନ୍(ହି.ସ.) - ଖଣି ବିଭାଗର ବାରମ୍ବାର ଚଢାଉ ପରେ ମଧ୍ୟ ବୈାତରଣୀ ନଦୀରୁ ବାଲି ଚୋରା ଚାଲାଣ କମିବାର ନାଁ ଧରୁନାହି। ଯାହା ଦ୍ୱାରା ପ୍ରତିଦିନ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉ ଥିବା ବେଳେ ଚାଲାଣ କାରୀ ମାନେ ମାଲାମାଲ ହେଉଛନ୍ତି। ଯାଜପୁର ଖଣି ବିଭାଗ ଦ୍ୱାରା ଦୁଇ ଚୋରା ବାଲି ବୋଝେଇ ହାଇୱାକୁ ସଠିପୁର ଠାରେ ଜବତ କରାଯିବା ସହିତ ଥାନାରେ ଅଭିଯୋଗ ପରେ ପୁଲିସ ଉଭୟ ହାଇୱାର ଚାଳକଙ୍କୁ ଅଦାଲତ ଚାଲାଣ କରାଯାଇଛି। ପ୍ରକାଶଯେ ଯାଜପୁର ଉପ ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜୁନିୟର ଖଣି ଅଫିସର ବିଶ୍ୱଜିତ ସ୍ୱାଇଁ ଏନଫୋର୍ସମେଂଟ ଟିମ ସହିତ ସଠିପୁର ଠାରେ ଚେକିଂ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱା (ଓଡ଼ି୨୨ଭି୪୯୮୯,) କୁ ଅଟକାଇ କାଗଜପତ୍ର ଯାଂଚ କରିଥିଲେ । ମାତ୍ର ଉକ୍ତ ଗାଡ଼ିର ଚାଳକ କୈାଣସି ବୈଧ କାଗଜ ପତ୍ର ଦେଖାଇପାରି ନଥିଲା। ତେବେ ଉକ୍ତ ବାଲି ଗୁଡ଼ିକ ଚୋରା ଚାଲାଣ ହେଉଛି ଜାଣିପାରି ଶ୍ରୀ ସ୍ୱାଇଁ ହାଇୱାକୁ ଜବତ କରିବା ସହିତ ଚାଳକକୁ ପୁଲିସର ଜିମା ଦେଇଥିଲେ। ଏ ନେଇ ଶ୍ରୀ ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ୧୬୭/୨୫ ଋଜୁ କରିବା ସହିତ ହାଇୱାର ଚାଳକ ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ପ୍ରଦୀପ ସିଂକୁ କୋର୍ଟ ଚାଲାଣ କରିଛି। ସେହିପରି ଜିଲ୍ଲାର ଜୁନିୟର ଖଣି ଅଫିସର ଛାୟାକାନ୍ତ ମହାନ୍ତ ଚେକିଂ କରୁଥିବା ବେଳେ ଅନ୍ୟ ଏକ ଚୋରା ବାଲି ବୋଝେଇ ହାଇୱା (ଓଡ଼ି୩୪ଏନ୦୫୭୪)କୁ ସଠିପୁର ଠାରେ ଜବତ କରି ପାଣିକୋଇଲି ଥାନାକୁ ହସ୍ତାନ୍ତର କରିଥିଲେ। ଏ ନେଇ ଶ୍ରୀ ମହାନ୍ତଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା୧୬୬/୨୫ ଋୁଜୁ କରିବା ସହିତ ଚାଳକ ଏହି ଥାନା ଅନ୍ତର୍ଗତ ବାଲିପଶି ଗ୍ରାମର ଋଷିନାଥ ନାୟକଙ୍କ ପୁଅ ଶୁକ୍ରା ନାୟକ(୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ