ଜୟପୁର, ୧୩ ଜୁନ୍ (ହି.ସ.)- ଜୟପୁର ବିଦ୍ୟାଳୟରେ ନାମଲେଖା ନିମନ୍ତେ ଆଧାରକାର୍ଡ ବାଧ୍ୟତାମୂଳକ । ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହଜାର ହଜାର ପିଲାଙ୍କ ଏଯାଏ ଆଧାରକାର୍ଡ ହୋଇପାରିନି । ସେହିପରି ହଜାର ହଜାର ପିଲାଙ୍କ ଆଧାରକାର୍ଡରେ ରହିଛି ତ୍ରୁଟି । ତେଣୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବାର ସମ୍ଭାବନା ରହିଛି । ଅନ୍ୟପଟେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗୋଟିଏ ଆଇଡିରେ ସମସ୍ତ ତଥ୍ୟ ମହଜୁଦ ରଖିବା ପାଇଁ ଆପାର ଆଇଡି ଖୋଲିବାକୁ ସରକାର ଗୁରୁତ୍ୱାରୋପ କରିଛନ୍ତି । ତେବେ ଆଧାରକାର୍ଡ ନଥିବା କିମ୍ବା କାର୍ଡରେ ତ୍ରୁଟି ଯୋଗୁଁ ଏହି ଆଇଡି ଖୋଲିପାରୁନି । କୋରାପୁଟ ଜିଲ୍ଲାରେ ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀଙ୍କ ଏଯାଏ ଆଧାରକାର୍ଡ ହୋଇପାରିନି । ଯେଉଁ ପିଲାଙ୍କ କାର୍ଡ ରହିଛି ତାହାର ତଥ୍ୟ ଜନ୍ମ ପ୍ରମାଣପତ୍ର ସହ ମେଳ ଖାଉନି । ଯାହାଫଳରେ ପ୍ରାୟ ୪୭ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିପାରିନି ।
ସରକାରୀ ତଥ୍ୟ ଅନୁସାରେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ୮୧ ହଜାର ୫୩୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେଥିରୁ ପ୍ରାୟ ୨୨ ହଜାର ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ପରିବାର ବର୍ଗ ଦାଖଲ କରିନାହାନ୍ତି । ସେହିପରି ୫ ହଜାର ଛାତ୍ରଛାତ୍ରୀଙ୍କ ଆଧାରକାର୍ଡରେ ତ୍ରୁଟି ଯୋଗୁଁ ଆପାର ଆଇଡିରେ ପଞ୍ଜୀକରଣ ହୋଇପାରୁନି । ଆଜି ସୁଦ୍ଧା ୧,୫୦,୭୩୮ଜଣ ଛାତ୍ରଛାତ୍ରୀଙ୍କ ଆପାର ଆଇଡି ଖୋଲାଯାଇଛି । ଯାହା ମୋଟ ଛାତ୍ରଛାତ୍ରୀଙ୍କ ୫୩ ପ୍ରତିଶତ । ବିବାଦୀୟ ଭୂଖଣ୍ଡ କୋଟିଆରେ ବି ଏହି ସମସ୍ୟା ଦେଖିବାକୁ ମିଳିଛି । କୋଟିଆରେ ମଙ୍ଗଳ ବିଭାଗର ଦୁଇଟି ବିଦ୍ୟାଳୟ, ଗୋଟିଏ ଆଦର୍ଶ ବିଦ୍ୟାଳୟ ସମେତ ମୋଟ ୨୦ଟି ବିଦ୍ୟାଳୟ ରହିଛି । ମୋଟ ୧୭୮୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେଥିରୁ ୨୨୮ ଜଣ ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ନଥିବା ଜଣାପଡ଼ିଛି । ସେହିପରି ଆଧାରକାର୍ଡରେ ତ୍ରୁଟି କିମ୍ବା ବୈଷୟିକ କାରଣରୁ ଆପାର ଆଇଡିରେ ବହୁ ପିଲାଙ୍କ ପଞ୍ଜୀକରଣ ହୋଇପାରୁନି । ଯାହାଫଳରେ ୪୪ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିଥିବା ବେଳେ ୫୬ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିପାରୁନି । କୋଟିଆରେ ବହୁ ପିଲାଙ୍କ ଆନ୍ଧ୍ରର ଆଧାରକାର୍ଡ ରହିଛି । ପୁଣି ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ଯେଉଁ ନାମ ଓ ଜନ୍ମ ତାରିଖ ରହୁଛି ତାହା ଆଧାରକାର୍ଡ ସହ ମେଳ ଖାଉନି । ସେହିପରି କିଛି ପିଲାଙ୍କ ଆପାର ଆଇଡି ଆନ୍ଧ୍ରରେ ଖୋଲିସାରିଥିବାରୁ ଓଡ଼ିଶାରେ ଆଉ ଖୋଲିପାରୁନି । ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ହଜାର ହଜାର ପିଲାଙ୍କ ଜନ୍ମ ପ୍ରମାଣପତ୍ର ବି ନାହିଁ । ଆଧାରକାର୍ଡରେ ସଂଶୋଧନ ନିମନ୍ତେ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା । ଜନ୍ମ ପ୍ରମାଣପତ୍ର ସଂଗ୍ରହ କରିବା କିମ୍ବା ଆଧାରକାର୍ଡ ସଂଶୋଧନ କରିବା ନିମନ୍ତେ ଟଙ୍କା ଆବଶ୍ୟକ ହେଉଛି । ଯାହା ଗରିବ ପରିବାର କ୍ଷେତ୍ରରେ ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ଆଧାରକାର୍ଡ ସଂଶୋଧନ ଓ ଜନ୍ମ ପ୍ରମାଣପତ୍ର ପାଇଁ ଉଦ୍ୟମ ଚାଲୁରହିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି