କେନ୍ଦ୍ରାପଡ଼ା, ୧୮ ଜୁନ୍(ହି.ସ.) – ବିଦ୍ୟୁତ୍ ଆଘାତ ରେ ମୃତ୍ୟୁବରଣ କରିଥିବା ପାଣି ପାଇପ ମିସ୍ତ୍ରୀଙ୍କ ଶବ ରଖି ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବି ସହ ପରିବାର ର ଜଣକୁ ସରକାରୀ କାର୍ଯ୍ୟରେ ନିଯୁକ୍ତି ଦାବି କରି ପରିବାର ଲୋକଙ୍କ ସହ ଗ୍ରାମବାସୀ ମାନେ ଧାରଣା ଦେଇଥିଲେ । ଘଟଣା ମୁତାବକ କେନ୍ଦ୍ରାପଡା ସଦର ଥାନା ଅଧିନ ନରିଲୋ ଗ୍ରାମର ହରିହର ମଲିକ ଆଜି ସକାଳେ ନରିଲୋ ପାଣି ପମ୍ପରେ କାର୍ଯ୍ୟରତ ଥାଇ ନରିଲୋ ଆୟୁଷମାନ ଆରୋଗ୍ୟ କେନ୍ଦ୍ରରେ ଖରାପ ହୋଇଥିବା ପାଣି ପାଇପ ମରାମତି କାର୍ଯ୍ୟ କରୁଥିବା ସମୟରେ ଏକ ବିଦ୍ୟୁତ୍ ପରିବାହିତ ଖୋଲା କେବୁଲ ସର୍ଟ ହୋଇଥିବା ପାଣି ପମ୍ପ ସଂପର୍କରେ ଆସି ବିଦ୍ୟୁତ୍ ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ । ଏନେଇ ତାଙ୍କ ପରିବାର ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଶବ ରଖି କ୍ଷତିପୁରଣ ଦାବି କରିବା ସହ ଜଣକୁ ଚାକିରୀ ଦେବାପାଇଁ ଧାରଣା ଦେଇଥିଲେ । ଖବରପାଇ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅମୀୟ ସ୍ୱାଇଁ ଘଟଣା ସ୍ଥଳରେ ପହଁଚି ଶବ ସଂସ୍କାର ପାଇଁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ସହାୟତା ଦେବା ସହ ଜିଲ୍ଲପାଳ ଘଟଣାର ବିଚାର କରିବେ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି