ମାଲକାନଗିରି, ୨୨ ଜୁନ (ହି.ସ.)- ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତର୍ଗତ ବଡ଼ଡୁରାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସମେତ ଅନେକ ସମସ୍ୟା ଲାଗି ରହିଛି । କେତେ ଗୁହାରି କଲେ ବି ବିଭାଗୀୟ ଅଧିକାରୀ ମାନେ କିଛି ସମାଧାନ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟଟି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ସୀମାନ୍ତ ବଡ଼ଡୁରାଲ ଗ୍ରାମରେ ଅବସ୍ଥିତ । ଏହା ୧୯୫୮ ମସିହାରେ ସ୍ଥାପିତ ହୋଇଥିବା ବେଳେ ୨୦୦୯ ମସିହାରେ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହୋଇଛି । ଏଠାରେ ସର୍ବମୋଟ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅଧିକାଂଶ ପିଲା ଅନୁସୂଚିତ ଜନଜାତିର । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ତଥା ପ୍ରାରମ୍ଭିକ ବିଭାଗ ପୁରୁଣା ସ୍କୁଲରେ ଚାଲୁଥିବା ବେଳେ ମାଧ୍ୟମିକ ବିଭାଗର ନବମ ଓ ଦଶମ ଶ୍ରେଣୀ ଦୂରରେ ଥିବା ନବ ନିର୍ମିତ କୋଠାରେ ଚାଲିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଗତ ଶିକ୍ଷାବର୍ଷରେ ପାନୀୟ ଜଳ ବିଭାଗ ଦ୍ୱାରା ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂପରେ ମୋଟର ସଂଯୋଗ କରାଯାଇ ପାଣି ଟ୍ୟାଙ୍କ ଦ୍ୱାରା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା । ଏଠାରେ ପୂର୍ବରୁ ସୋଲାର ଯୋଗେ ପାଣି ଯୋଗାଣର ବ୍ୟବସ୍ଥା ଥିଲା, କିନ୍ତୁ ପରବର୍ତୀ ସମୟରେ ବିଭାଗୀୟ ଯନ୍ତ୍ରୀ ଏଠାକାର ସୋଲାରକୁ ନୂତନ କୋଠାକୁ ସ୍ଥାନାନ୍ତରଣ କରି ଏଠାରେ ଥିବା ନଳକୂପରେ ବିଦ୍ୟୁତ ମୋଟର ସଂଯୋଗ କରି ପାଣି ଯୋଗାଣର ବ୍ୟବସ୍ଥା କରିଥିଲେ ଯାହାକି ମାତ୍ର ଅଳ୍ପ କେଇଟା ମାସ ମଧ୍ୟରେ ଅଚଳ ହୋଇପଡିଛି । ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ କେତେ ଗୁହାରି କଲେବି କିଛି ସୁଫଳ ମିଳିନାହିଁ, ପିଲା ହଇରାଣ ହେଉଛନ୍ତି ବୋଲି ପରିଚାଳନା କମିଟି ସମେତ ଗ୍ରାମବାସୀ କହିଛନ୍ତି । ହ୍ୟାଣ୍ଡେଲ ନଳକୂପରୁ ପାଣିହିଁ ଠିକ୍ ଭାବେ ବାହାରୁ ନାହିଁ ବୋଲି ପିଲାମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଆଖପାଖର କିଛି ପିଲା ମଧ୍ୟାହ୍ନ ଭୋଜନ ଖାଇବା ପରେ ଅଇଁଠା ଥାଳି ଧରି ନିଜ ନିଜ ଘରକୁ ଯାଇ ଧୋଇ ଆସୁଥିବା ନଜରକୁ ଆସୁଛି ଯାହା ଗ୍ରହଣୀୟ ନୁହେଁ । ବରିଷ୍ଠ ଶିକ୍ଷକମାନେ ମଧ୍ୟ ବାଲ୍ଟି ଯୋଗେ ଗ୍ରାମର ଜଳ ଉତ୍ସରୁ ପାଣି ପିଲାଙ୍କ ପିଇବା ପାଇଁ ଆଣୁଥିବା ଦେଖିବାକୁ ମିଳୁଛି । କାର୍ଯ୍ୟକ୍ରମ ପାଇଁ ବିଭାଗ ଦ୍ୱାରା ପ୍ରତ୍ୟେକ ବିଦ୍ୟାଳୟକୁ ଆବଶ୍ୟକ ଭିତିଭୂମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଥିଲେବି ଆଜି ପର୍ଯ୍ୟନ୍ତ ଏଠାରେ ଏହା ପୁରଣ ହୋଇ ନଥିବାରୁ ପ୍ରତ୍ୟେକ ଶ୍ରେଣୀ କକ୍ଷରେ ଆବଶ୍ୟକ ସଂଖ୍ୟକ ପଙ୍ଖା ଓ ଆଲୁଅର ବ୍ୟବସ୍ଥା ନ ଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ବହୁତ ପ୍ରତିକୂଳ ପରିସ୍ଥିତିରେ ଶିକ୍ଷାଦାନ ଚାଲୁଥିବା ଦେଖା ଦେଇଛି ।
ଜଳ ଯୋଗାଣ ସମ୍ବନ୍ଧରେ ଖଇରପୁଟ ବ୍ଲକର ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଭୀଷ୍ମ ମଲିକଙ୍କୁ ପଚାରିବାରୁ ମୁଁ ସ୍ଥାନୀୟ ପଂଚାୟତରେ କାର୍ଯ୍ୟରତ ପାନୀୟ ଜଳ କର୍ମଚାରୀଙ୍କ ସହାୟତାରେ ନଳକୂପ ଭିତରେ ଥିବା ପାଣି ମୋଟରଟିକୁ ବାହାର କରିବା ପରେ ମରାମତି କରି ପୁନଃ ସଂଯୋଗ କରାଇ ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିଦେବି ଯେମିତି ପିଲାମାନେ ଖୁବ୍ ଶୀଘ୍ର ପାଣି ପାଇପାରିବେ ବୋଲି କହିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଖୁବ୍ ଶୀଘ୍ର ସମାଧାନ କରିବାକୁ ଅଂଚଳ ବାସୀ ଦାବି ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ