କନ୍ଧମାଳ, ୨୨ ଜୁନ୍ (ହି.ସ.)- ରେଳପଥ ବିହୀନ କନ୍ଧମାଳ ଜିଲାକୁ ରେଳ ସଂଯୋଗ ନେଇ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଗୋପାଳପୁର -ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆଗେଇ ଚାଲିଛି । ମୁଜାଗଡ ଠାରୁ ଚକାପାଦ ଦେଇ ଫୁଲବାଣୀ ପର୍ଯ୍ୟନ୍ତ ସର୍ଭେ ଶେଷ ହେଲାଣି । ଗୋପାଳପୁର ଠାରୁ ମୁଜାଗଡ ଏବଂ ଚକାପାଦ ଦେଇ ଆଡେଣୀଗଡକୁ ସଂଯୋଗ କରିବା ପାଇଁ ଦିଆଯାଇଥିବା ଡିପିଆରକୁ ରେଳ ମନ୍ତ୍ରଣାଳୟ ଅଗ୍ରାହ୍ୟ କରିବା ପରେ ୨୦୨୩-୨୪ରେ ପୁନଃ ଫୁଲବାଣୀ ସଦର ମହକୁମା ଦେଇ ସର୍ଭେ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ହେଲେ ଟେଣ୍ଡର ସମୟରେ କିଛି ମାସ ବିଳମ୍ବ ହୋଇଥିଲା । ଜିଲ୍ଲାର ବିଭିନ୍ନ କମିଟି ପକ୍ଷରୁ ଦାବୀ ହେବା ଫଳରେ ୨୦୨୪-୨୫ରେ ଟେଣ୍ଡର ହୋଇ ଗତ ୬ ମାସ ହେବ ସର୍ଭେ ଟିମ ଫୁଲବାଣୀରେ ରହି ଯୁଦ୍ଧକାଳୀନ ଭିତିରେ ସର୍ଭେ କାମ ଚଳାଇଛନ୍ତି । ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ନିୟମିତ ସେମାନଙ୍କ ସମ୍ପର୍କରେ ରହି ଅଗ୍ରଗତି ସମ୍ପର୍କରେ ଆଲୋଚନା ହେଉଛି । ତୁରନ୍ତ ସର୍ଭେ କାର୍ଯ୍ୟ ସାରି ଆସନ୍ତା ବଜେଟ ପୂର୍ବରୁ ଡିପିଆର ଦାଖଲ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିରେ ଜିଲାବାସୀଙ୍କ ସହଯୋଗ ଆବଶ୍ୟକ । ସର୍ଭେ କାମ ସୁରୁଖୁରୁରେ ଚାଲିଥିବାରୁ ବର୍ତମାନ କୌଣସି ପ୍ରତିବାଦ, ଶୋଭାଯାତ୍ରା କିମ୍ବା ଆନ୍ଦୋଳନର ଆବଶ୍ୟକତା ଅନୁଭବ ହେଉନାହିଁ । ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ପକ୍ଷରୁ ରେଳପଥ ପାଇଁ ହେଉଥିବା ସଚେତନ ସମାବେଶ ବା ଆନ୍ଦୋଳନ ଡାକରା ବର୍ତମାନ ଆମ କନ୍ଧମାଳ ଜିଲାପାଇଁ କୌଣସି ଫଳପ୍ରଦ ହେବ ନାହିଁ । ଏହି ସମାବେଶ ଗଞ୍ଜାମ ଜିଲା ପାଇଁ ଆବଶ୍ୟକ । କାରଣ ଗୋପାଳପୁରରୁ ମୁଜାଗଡ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଓ ପ୍ରାରମ୍ଭିକ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ ଆବଶ୍ୟକ । କିନ୍ତୁ, ଆମ ଜିଲା ପାଇଁ ପରବର୍ତୀ ପର୍ଯ୍ୟାୟରେ ତାହା ଆବଶ୍ୟକ ହୋଇପାରେ । ତେଣୁ ସୁରୁଖୁରୁରେ ଚାଲିଥିବା ରେଳପଥ ସର୍ଭେ କାମ ଶେଷ ହେବା ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେବା ଉଚିତ ବୋଲି ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି । ତେଣୁ ଉକ୍ତ ସଚେତନ ସମାବେଶ କନ୍ଧମାଳ ଜିଲ୍ଲା ପାଇଁ ବର୍ତମାନ ଆବଶ୍ୟକ ମନେ ହେଉନାହିଁ । ତେଣୁ ଆମ ଜିଲାବାସୀ ସର୍ଭେ ଶେଷ ପରେ, ଅର୍ଥ ମଞ୍ଜୁରୀ ଆଶା କରିବା ଆବଶ୍ୟକ ବୋଲି ଜିଲା ମିଳିତ ନାଗରିକ କମିଟିର ସଭାପତି ଡଃ. ଅରୂପ ଜେନା ଓ ଆବାହକ ଅଶୋକ ପରିଡା ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ