ଭୁବନେଶ୍ୱର, ୨୮ ଜୁନ (ହି.ସ.) – ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀମଣିଷ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୯ତମ ଜନ୍ମୋତ୍ସବ ଶନିବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ ରାଜନେତା, ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଗାନ୍ଧୀ ଆଦର୍ଶର ମୂର୍ତୀମନ୍ତ ପ୍ରତୀକ ଥିଲେ ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନ। ସେ କେବଳ ଜଣେ ସ୍ୱାଧୀନଚେତା ମଣିଷ ନଥିଲେ, ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ, ନିଜ ଲୋକପ୍ରିୟତାର ଶୀର୍ଷରେ ଥିଲେ ସେ। ୱାର୍ଡ଼ମେମ୍ବରରୁ ସରପଂଚ, ପଂଚାୟତ ସମିତି, ଚେୟାରମ୍ୟାନ, ବିଧାୟକ ଓ ମନ୍ତ୍ରୀ ହୋଇ ପାରିଥିଲେ।
ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶା ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଲେ ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ଜଣେ ୮ମ ଶ୍ରେଣୀର ଛାତ୍ର ତିନିବର୍ଷରୁ ଉର୍ଦ୍ଧ୍ୱ ଜେଲ୍ ଜୀବନ କଟାଇବା ଓଡ଼ିଶା ଇତିହାସରେ ଏକ ପ୍ରମୁଖ ଘଟଣା। ଜେଲ ଜୀବନ ହିଁ ତାଙ୍କର ଥିଲା ପ୍ରକୃତ ଶିକ୍ଷାକ୍ଷେତ୍ର। ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଠାରୁ ସେ ଜେଲ୍ ଭିତରେ ଯାହା ଶିକ୍ଷା କରିଥିଲେ, ଭାରତ ସ୍ୱାଧୀନତା ହେବା ପରେ ସେ ତାକୁ ସାଧାରଣ ଜନତାଙ୍କ ନିକଟରେ ପ୍ରୟୋଗ କରି ସଫଳ ହୋଇଥିଲେ। ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ ପୂର୍ବ ପ୍ରଶାସକ ଅରବିନ୍ଦ ବେହେରା କହିଲେ ଯେ, ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ନୀତିନିଷ୍ଠ ଏକଯୋଗୀ ପୁରୁଷର ଜୀବନ ଯାପନ କରୁଥିଲେ। ବିନା ଔଷଧରେ ୯୩ ବର୍ଷ ବଂଚିବା ଆଜିର ସମାଜରେ ଏକ ବିରଳ ଘଟଣା।
ମୁଖ୍ୟବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ କାଳଜୟୀ ନେତା ଭାବେ ବର୍ଣ୍ଣନା କରିଥିଲେ। ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ମରିଯାଇଛନ୍ତି ସତ, କିନ୍ତୁ ତାଙ୍କ ‘ଗାନ୍ଧୀ କଥା’ ପୁସ୍ତକ ତାଙ୍କୁ ସବୁଦିନ ପାଇଁ ଜୀବିତ କରି ରଖିବ। ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତବାର୍ଷିକ ବର୍ଷରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ, ବରିଷ୍ଠ ସାମ୍ବାଦିକ, ସମାଜସେବୀ, କର୍ମଚାରୀ ନେତା ଗୌରାଙ୍ଗ ଚରଣ ହୋତାଙ୍କୁ ‘ଗାନ୍ଧୀ ଗୌରବ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା। ଶେଷରେ ଟ୍ରଷ୍ଟି ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ ପରିଚାଳନା କରିଥିଲେ।
ପୂର୍ବାହ୍ନରେ ଓଡ଼ିଶା ସରକାରଙ୍କ ସ୍ମୃତିବନଠାରେ ବୃକ୍ଷପୂଜା କରାଯାଇଥିଲା ଓ ଦୟାନନ୍ଦ ଆଦର୍ଶ ଗୁରୁକୁଳ ଠାରେ ବୈଦିକ ଶାନ୍ତିଯଜ୍ଞ ସହ ପ୍ରସାଦ ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁକୁଳର ବ୍ରହ୍ମଚାରୀମାନେ ବେଦପାଠ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶଚନ୍ଦ୍ର ପାତାଳସିଂହ, ପୃଥ୍ୱୀରାଜ ପ୍ରଧାନ, ଅଶୋକ କୁମାର ମିଶ୍ର, ଶାରଦା ପ୍ରସନ୍ନ ପରିଜା, କସ୍ତୁଭ ପ୍ରଧାନ, ପୂର୍ବତନ ରେଞ୍ଜ ଅଫିସର ରଶ୍ମୀରେଖା ପରିଡ଼ା, ବିଜୟ ବିଶ୍ୱାଳ, ଜିତେନ୍ଦ୍ର ମହାନ୍ତି, ଅଜିତ ରଞ୍ଜନ ପାଲଟାସିଂହ, ଅମୂଲ୍ୟ ଜେନା ପ୍ରମୁଖ ସହଯୋଗ କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଇଂ ଅଶୋକ ବିଶ୍ୱାଳ, ଓକିଲ ମନୋଜ ସାହୁ, ରୁଦ୍ର ନାରାୟଣ ଦାସ, ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରଭାତ କୁମାର ଖଟୁଆ, ନାରାୟଣ ଚନ୍ଦ୍ର ମହାନ୍ତି, ଶରତ କୁମାର ରାୟ, ଅଜୟ କୁମାର ମହାନ୍ତି, ବିନୋଦ ବିହାରୀ ବେହେରା, ଇଂ ସେବକ ଶ୍ରୀକାନ୍ତ କୁମାର ବେହେରା, ଅଭୟ କୁମାର ଦାସ, ବସନ୍ତ କୁମାର ପଣ୍ଡା, ଶ୍ରୀମତୀ ସୁନିତା ଦେବତା, ରବୀନ୍ଦ୍ରନାଥ ଦାସ ଓ ବିଭୂତି ଭୂଷଣ ପ୍ରଧାନଙ୍କୁ ପ୍ରଶଂସା ପତ୍ର ଓ ସାଲ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ