ସୁବର୍ଣ୍ଣପୁର, ୯ ଜୁନ୍ (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତି ଓ ସମସ୍ୟା ନିହିତ ୫୯ ଗୋଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୪୯ ଗୋଟି ବ୍ୟକ୍ତିଗତ ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ, ୧୦ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ଦୁଇ ଗୋଟି ଦରଖାସ୍ତ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବାବେଳେ ଅନ୍ୟ ସମସ୍ତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତରଭା ନିରଞ୍ଜନ ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ କୁମାର ମେହେର ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଂଚଳ ପରିଷଦ ତରଭା ସହ ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ଦାସ ତରଭା ଏସ ବି ଆଇ ଶାଖା ଦ୍ୱାରା ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନା ରେ ବୀମା ଅନୁବନ୍ଧିତ ବଡ଼ଭଇଁରୋ ଗ୍ରାମ ପଂଚାୟତ ଗରମହୁଲ ଗ୍ରାମର ମୃତକ ଜୋତ୍ସ୍ନା ଜାଲଙ୍କ ସ୍ୱାମୀ (ନୋମିନି) ହେମନ୍ତ ଜାଲଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିଥିଲେ, ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବଡ଼ଫଟକରା ଗ୍ରାମ ପଂଚାୟତ ଛେମ ତଲା ଗ୍ରାମର ମୃତ ଅମୀୟ କୁମାର ନାଗଙ୍କ ପିତା- ପହିଲମାନ ନାଗଙ୍କୁ ମଧ୍ୟ ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥିଲା। ବୀମା ରାଶି ପ୍ରଦାନ ସମୟରେ ତରଭା ଏସ.ବି.ଆଇ ଶାଖା ପରିଚାଳକ ସୁଶାନ୍ତ ସାହୁ ଓ ଲିଡ଼ ବ୍ୟାଙ୍କ ପରିଚାଳକ ସୁବର୍ଣ୍ଣପୁର କାର୍ତିକେଶ୍ୱର ପଣ୍ଡା ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ