ସମ୍ବଲପୁର, ୦୯ ଜୁନ୍ (ହି.ସ.) - ରେଜାଙ୍ଗ-ଲା’ର ପବିତ୍ର ମାଟିକୁ ନେଇ ବିହାରର ଚମ୍ପାରଣରୁ ବାହାରି ଭାରତ ପରିକ୍ରମା କରୁଥିବା କଳସ ଶୋଭାଯାତ୍ରା ବରଗଡ଼ରୁ ଆସିବା ପରେ ସମ୍ବଲପୁରର ଚାଉଁରପୁର ଠାରେ ପହଂଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲା ଯାଦବ ମହାସଭା ଏବଂ ସମ୍ବଲପୁର ଯାଦବ ସଂଘ ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରା ନେଲସନ୍ ମଣ୍ଡେଲା ଛକସ୍ଥିତ ସହିଦ ସ୍ତମ୍ଭରେ ରଖାଯିବା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ପକ୍ଷରୁ ସ୍ୱାଗତ କରାଯିବା ସହିତ ସହିଦ ଜବାନ ମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ସହର ପରିକ୍ରମା ଉତାରୁ ଶୋଭାଯାତ୍ରା ସ୍ୱାଧୀନତା ସଂଗ୍ରାମୀ ଭବନ ଠାରେ ପହଂଚିଥିଲା। ସେଠାରେ ଜିଲ୍ଲା ଯାଦବ ମହାସଭା ର ସଭାପତି ଭୋଲା ଶଙ୍କର ମହତମଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅହିର ରେଜିମେଣ୍ଟର ଆବାହକ ବ୍ରିଗେଡିଅର (ଅବସରପ୍ରାପ୍ତ) ପ୍ରଦୀପ ୟାଦୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ୧୯୬୨ ମସିହାର ଚୀନ-ଭାରତ ଯୁଦ୍ଧ ସମୟରେ ପରମବୀର ଚକ୍ର ବିଜେତା ଶୈତାନ ସିଂଙ୍କ ନେତୃତ୍ୱରେ କୁମାଉଁ ରେଜିମେଂଟର ୧୨୦ ଜଣ ଭାରତୀୟ ସୈନିକ(ସମସ୍ତେ ଅହିର (ଯାଦବ) ୩ ହଜାରରୁ ଅଧିକ ଚୀନ ସୈନିକଙ୍କ ସାମ୍ନା କରିବା ସହିତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପତନ ଠାରୁ ୧୬ହଜାର ଫୁଟ ଉଚ୍ଚତାରେ ଥିବା ରେଜେଙ୍ଗା-ଲା ପର୍ବତ ପଥକୁ ସଫଳତାର ସହିତ ରକ୍ଷା କରିପାରିଥିଲେ। ଅହିର ମାନେ ଏକ ବୀର ଜାତି ବୋଲି ବର୍ଣ୍ଣନା କରି ଅହିର ରେଜିମେଂଟ ପ୍ରତିଷ୍ଠା, ଜାତିଗତ ଜନଗଣନା ଏବଂ ଜାତିଗତ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଅଖିଳ ଭାରତ ଯାଦବ ମହାସଭା ମହିଳା ଶାଖାର ସଭାନେତ୍ରୀ ମଂଜୁ ୟାଦୁ ଦେଶରେ ଯାଦବମାନଙ୍କ ପ୍ରତି ହେଉଥିବା ଅବହେଳା ସଂପର୍କରେ ଆଲୋକପାତ କରିଥିଲେ। ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁଭାଷ ବେହେରା ସମ୍ମାନୀତ ଅତିଥିଙ୍କ ସହିତ ଜିଲ୍ଲା ଯାଦବ ମହାସଭାର ଉପସଭାପତି ଶିବଶମ୍ଭୁ ଯାଦବ, ସାଧାରଣ ସଂପାଦକ ହେମନ୍ତ ଗହୀର, ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘର ଏସ୍.ଏନ୍.ବେହେରା ପ୍ରମୁଖ ମଂଚାସୀନ ଥିଲେ। ଉତ୍କଳ ଯାଦବ ମହାସଭାର ମିଡିଆ ପ୍ରକୋଷ୍ଠ ସଂଯୋଜକ ରତ୍ନାକର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍କଳ ଯାଦବ ମହାସଭାର କୃଷ୍ଣଚନ୍ଦ୍ର ବାଗଙ୍କ ନିର୍ଦ୍ଦେଶନାରେ ସ୍ୱାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ