ଧର୍ମଶାଳା,୯ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଂଚଳରେ ଆଜି ବର୍ଷା ସାଙ୍ଗକୁ ପ୍ରବଳ ବିଜୁଳି ଓ ବଜ୍ରପାତ ହୋଇଛି । ଆଜି ପୁର୍ବାହ୍ନରେ ପାଗ ଉତପ୍ତ ରହିଥିବା ବେଳେ ଦିନ ୨ ଟା ପରେ ହଠାତ କଳାବାଦଲ ଘୋଟି ଆସିବା ସହ ପ୍ରଚଣ୍ଡ ବେଗରେ ଘଡଘଡି ମାରିବା ସହ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ବଜ୍ରପାତ ସାଙ୍ଗକୁ ପ୍ରାୟ ୧ ଘଂଟାକାଳ ମୁଶଳଧାରରେ ବର୍ଷା ଲାଗିରହିବା ଫଳରେ ବ୍ଲକର ଅନେକ ତଳିଆ ଅଂଚଳରେ ପାଣି ଭର୍ତି ହୋଇଯାଇଛି । ଏପରିକି ଜାରକା ବଜାରକୁ ସଂଯୋଗ କରୁଥିବା ଶାନ୍ତିବଜାର ଓ ଜାରକା ରାସ୍ତାରେ ଆଂଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ନିୟୁଜ ଲେଖାଯିବା ପର୍ଯ୍ୟନ୍ତ ବଜ୍ରପାତରେ କେଉଁଠି ଅଘଟଣ ଘଟିଥିବା ନେଇ ଖବର ହସ୍ତଗତ ହୋଇନାହିଁ । ଅନ୍ୟପଟେ ବଜ୍ରପାତ ଯୋଗୁଁ ଅନେକ ସ୍ଥାନରେ ବିଜୁଳି ସରବରାହ ବାଧାପ୍ରାପ୍ତ ହୋଇଛି । ବଜ୍ରପାତ ଯୋଗୁଁ ବିଜୁଳି ଖୁଁଟରେ ଲାଗିଥିବା ସଂଖ ଫାଟି ଯାଇଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ତେବେ ଆଜିର ଏହି ବର୍ଷାକୁ ଅନେକ ପ୍ରାକ ମୌସୁମୀ ବର୍ଷା ବୋଲି କହୁଥିବା ବେଳେ ଏଭଳି ମୁଶଳଧାରାରେ ବର୍ଷା ହେବା ଯୋଗୁଁ ସକାଳୁ ଲାଗିରହିଥିବା ଗୁଳୁଗୁଳିରୁ କିଛି ମାତ୍ରାରେ ଆସ୍ତସ୍ତି ମିଳିଛି । ଗତ ବର୍ଷ ଜୁନ ମାସରେ ଧର୍ମଶାଳା ବ୍ଲକରେ ବିଲକୁଲ ବର୍ଷା ହୋଇନଥିବା ସରକାରୀ ରିପୋର୍ଟରୁ ଜଣା ପଡିଥିବା ବେଳେ ଚଳିତ ବର୍ଷ କିନ୍ତୁ ଜୁନ ମାସ ଆରମ୍ଭରୁ ବର୍ଷା ହେବା ଫଳରେ ଚାଷୀ ମନରେ ଉତ୍ସାହ ପରିଲିଖିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ