ବଲାଙ୍ଗିର, 14 ଜୁଲାଇ (ହି.ସ.)ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସାରସ୍ୱତ ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଯୁବ ସାହିତ୍ୟିକ ସମାବେଶ 'ପଲ୍ଲବନ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଲୋକସଭା ସାଂସଦ, ବରଗଡ଼ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବିଶିଷ୍ଟ ସାହିତ୍ୟିକ ଡ଼. ବାସୁଦେବ ସୁନାନୀ ମୁଖ୍ୟବକ୍ତା ଓ ଲେଖକ ତଥା ସାମାଜିକ କର୍ମୀ ସରୋଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଏ ଅବସରରେ ସୃଜନ ସଳିତା ନବନୀତାର 'ପଲ୍ଲବନ' ସଂଖ୍ୟା ଉନ୍ମୋଚିତ ହୋଇଥିଲା | ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନ' ଜଣ ଯୁବ ଲେଖକ ଲେଖିକା ଯଥା କେତନ ରଣା, ଚନ୍ଦନ ନାଗ, ବିକେଶ୍ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ପ୍ରଜ୍ଞାପ୍ରଭା କୁଅଁର, ପୁଣ୍ୟଦୀପା ଖମାରୀ, ରମାକାନ୍ତ ନାଏକ ଓ ରଜତ ବଂଶଲ ଆଦିଙ୍କୁ ଶବ୍ଦ ସମ୍ମାନ ପ୍ରଦାନ ପୂର୍ବକ ଉପଢୌକନ, ଉତ୍ତରୀୟ ଓ ଫୁଲ ଗଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ପ୍ରାରମ୍ଭରେ ସମସ୍ତ ଅତିଥି ପୁଷ୍ପ ବୃକ୍ଷକୁ ଜଳଦାନ ଦେଇ ଦୀପ ପ୍ରଜ୍ବଳନ କରିଥିଲେ | ପରେ ସହକାରୀ ପ୍ରଧ୍ୟାପକ ଡ଼. କୌତୁକ ପନ୍ଦର ଓ ଅଧ୍ୟାପକ ଡ଼. ଜଗନ୍ନାଥ ସାହୁ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ | ଏ ଅବସରରେ ଡ଼. ବାସୁଦେବ ସୁନାନୀଙ୍କ ରଚିତ ପ୍ରଥମ ଗଳ୍ପ ପୁସ୍ତକ 'ଗହଁଟିଆର ଛେଳି ' ଓ କବି ବଳବନ୍ତ ସାହୁଙ୍କ ପ୍ରଥମ କବିତା ସଂକଳନ 'ଧାନଫୁଲ ' ପୁସ୍ତକ ଉନ୍ମୋଚିତ ହୋଇଛି | ଏ କ୍ରମରେ ସମ୍ବର୍ଦ୍ଧିତ ଲେଖକ ଓ ଲେଖିକାମାନେ ସ୍ବରଚିତ କବିତା ଓ ଗଳ୍ପ ପଠନ ସହ ନିଜ ସୃଜନ ଯାତ୍ରା ବିଷୟରେ ଆଲୋକପାତ କରିଥିଲେ |ମୁଖ୍ୟଅତିଥି ସାଂସଦ ପୁରୋହିତ ସ୍ଵାଧୀନତା ଆନ୍ଦୋଳନ ଓ ଜନ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହା ସୁସ୍ପଷ୍ଟ ଯେ, ମଣିଷକୁ ଚେତନଶିଳ କରିବାରେ ସାହିତ୍ୟର ଭୂମିକା ଅତୁଳନୀୟ | ମୁଖ୍ୟବକ୍ତା ଡ଼. ବାସୁଦେବ ସୁନାନୀ ମଣିଷଜାତିର ମଣିଷ ହେବା ପ୍ରକ୍ରିୟା ଏବେବି ଜାରି ରହିଛି ଏବଂ ମାନବୀୟ ସମ୍ବେଦନା ଯୁକ୍ତ ପ୍ରତିକ୍ରୀୟଶିଳତା ହିଁ ସାହିତ୍ୟକୁ ପରିପୁଷ୍ଟ କରିଥାଏ ବୋଲି କହିଥିଲେ | ସମ୍ମାନିତ ଅତିଥି ସରୋଜ ଆସନ୍ତା କାଲିର ସାହିତ୍ୟରେ ପୂର୍ବଗ୍ରହ ରହିତ ପରିଦୃଷ୍ଟି ନ ରହିଲେ କୃତିମ ବୁଦ୍ଧିମତାଆମ ସୃଜନଶିଳତାକୁ ମାରିଦେବ କି ବୋଲି ଆଶଙ୍କା ପ୍ରକାଶ କରିଥିଲେ | ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସମେତ ବିଭିନ୍ନ ପଡୋଶୀ
ଜିଲ୍ଲାରୁ ବିଶିଷ୍ଟ ସାହିତ୍ୟିକ ଓ ଗୁଣମୁଗ୍ଧ ପାଠକଙ୍କ ସଂଖ୍ୟାଧିକ ଯୋଗଦାନ ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲା | କାର୍ଯ୍ୟକ୍ରମରେ ସୃଜନ ସଳିତା ନବନୀତାର ସମ୍ପାଦକ ରାଜେଶ ଝାଙ୍କର ସ୍ବାଗତ ଭାଷଣ ଦେଇଥିବାବେଳେ ପରିଚାଳନା ସମ୍ପାଦକ ଯୁଜେଷ୍ଟି ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ