ଭଦ୍ରକ, ୧୬ ଜୁଲାଇ (ହି.ସ.)- ଚାନ୍ଦବାଲି ସିଡିପିଓ-୨ ଅଧିନସ୍ଥ ଫାଶିବନ୍ଧ ଅଙ୍ଗନବାଡି କେନ୍ଦ୍ରରେ ବହୁ ଅନିୟମିତତା ବିଷୟରେ ସୁଚନା ଅଧିକାର କର୍ମୀ ସୁରେଶ ନାୟକ ସୁଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଥିଲେ। ସମସ୍ତ ତଥ୍ୟ ପାଇବା ପରେ ସୁଚନା ଅଧିକାର କର୍ମୀ ସଂପୃକ୍ତ ଅଙ୍ଗନବାଡି କର୍ମୀ ଗୀତାରାଣି ରାଉତଙ୍କ ବିରୁଦ୍ଧରେ ବହୁବାର ଅଭିଯୋଗ ଆଣିବା ପରେ ଫଳ ଶୂନ । ଫଳରେ ଆସନ୍ତା ୧୮ ତାରିଖରେ ସେ ନ୍ୟାୟ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ,କେନ୍ଦ୍ରୀୟ ରାଜସ୍ୱ ଆୟୋଗ ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି। ମିଳିଥିବା ସୂଚନା ଅନୁଯାଇ ସଂପୃକ୍ତ ଅଙ୍ଗନବାଡି କର୍ମୀ ଅବସର ପରେ ମଧ୍ୟ ଅଙ୍ଗନବାଡି ବ୍ୟାଙ୍କ ଖାତାରୁ କିପରି ୨୦ହଜାର ଟଙ୍କା ଉଠାଇଲେ ଏବଂ ଅବସର କରିବା ତାରିଖ ଠାରୁ ୧ବର୍ଷ ପରେ ଅଙ୍ଗନବାଡି କେନ୍ଦ୍ରର କ୍ୟାସ ବୁକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ହସ୍ତାନ୍ତର କରି ନଥିଲେ ତାହା ତଦନ୍ତ ସାପେକ୍ଷ ହୋଇପଡିଛି। ସୂଚନା ଅଧିକାର କର୍ମୀ ଏହି ସମସ୍ତ ବିଷୟରେ ସଂପୃକ୍ତ ସିଡିପିଓଙ୍କ ନିକଟରେ ଅଭିଯୋଗ ଆଣିଥିଲେ ମଧ୍ୟ ସଂପୃକ୍ତ ସିଡିପିଓ -୨ ଅହଲ୍ୟାରାଣୀ ଦୀପ କାହିଁକି ଏହି ଅଙ୍ଗନବାଡି କର୍ମୀଙ୍କ ନାମରେ ଚାନ୍ଦବାଲି ଥାନାରେ ଅଭିଯୋଗ କରି ନାହାନ୍ତି ତାହା ମଧ୍ୟ ତଦନ୍ତ ହେବା ଜରୁରୀ ହୋଇ ପଡିଛି। ଏହି ସମସ୍ତ ଅଭିଯୋଗ ବିଷୟରେ ସୁଚନା ଅଧିକାର କର୍ମୀ ସୁରେଶ ନାୟକ ଜୁଲାଇ ୧ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ମହିଳା ଶିଶୁ ବିକାଶ ଅଧିକାରୀ ଭୂବନେଶ୍ୱର, ଭଦ୍ରକ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଯଦି ସଂପୃକ୍ତ ଅଙ୍ଗନବାଡି କର୍ମୀ ଏବଂ ଚାନ୍ଦବାଲି ସିଡିପିଓ-୨ଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସରକାର ଗ୍ରହଣ ନକରନ୍ତି ତାହାହେଲେ ସୁଚନା ଅଧିକାର କର୍ମୀ ସୁରେଶ ନାୟକ ଆସନ୍ତା ୧୮ ତାରିଖରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ କରିବେ। ସିଡିପିଓ-୨ ଅହଲ୍ୟାରାଣୀ ଦୀପ ଏହି ବିଷୟରେ ଅବଗତ ଅଛନ୍ତି ଏବଂ ସେ ଏହି ଘଟଣାରେ ସଂପୃକ୍ତ ନଥିବା କଥା କହିଥିବା ବେଳେ ସେ ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ୨୦ହଜାର ଆତ୍ମସାତ କରିଥିବା ଅର୍ଥ ଗ୍ରାମ କଲ୍ୟାଣ ସମିତି ଅଧିନସ୍ଥ ହୋଇଥିବା ବେଳେ ସେ ଏହି ଅର୍ଥ ରାଶି ବିଷୟରେ ଅବଗତ ନାହାନ୍ତି ବୋଲି ମଧ୍ୟ ପ୍ରତିକ୍ରିୟା ରଖିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ