ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ, ଅଭିଯୋଗ ପରେ ଜିଏମ୍ ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ, ଅଭିଯୋଗ ପରେ ଜିଏମ୍ ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ, ଅଭିଯୋଗ ପରେ ଜିଏମ୍ ବିଶ୍ଵବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ


ସମ୍ବଲପୁର, ୧୭ ଜୁଲାଇ (ହି.ସ.) ବାଲେଶ୍ଵର ଏଫ୍ ଏମ୍ କଲେଜର ଜନୈକା ଛାତ୍ରୀଙ୍କ ପ୍ରତି ହୋଇଥିବା ନିର୍ଯାତନା ଓ ଶୋଷଣ ତାତି ଥମି ନଥିବା ବେଳେ ଏବେ ସେହିପରି ଜନୈକ କାମୁକ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କାରନାମା ନେଇ ସମ୍ବଲପୁର ସହର ପଡୁଛି ଉଠୁଛି । ଅବଶ୍ୟ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରକୁ ଗିରଫ କରି ଜେଲ ହାଜତରେ ଭର୍ତ୍ତି କରିଛି । ବିବାହର ମିଛ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ତଥାକଥିତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ ପରେ ନିର୍ଦ୍ଧିଷ୍ଟ କେତେକ ଛାତ୍ରୀ ବେଶ୍ ଆଶ୍ବସ୍ତ ପ୍ରକାଶ କରିଛନ୍ତି । ୩୨ ବର୍ଷୀୟ କାମୁକ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କ ପରିଚୟ ବରଗଡ଼ ଜିଲ୍ଲା ବୁଡ଼େନ ଥାନା ଦହିତା ଗାଁର ଗୋପୀକାନ୍ତ ସୁନା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏଜୁକେଶନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି।

ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷରେ ପଢ଼ନ୍ତି। ସେ ସମ୍ବଲପୁରରେ ଏକ ଘର ଭଡ଼ା ନେଇ ରହନ୍ତି। ବୁଧବାର , ଜୁଲାଇ ୧୬ ତାରିଖ ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ମହିଳା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ୍ ଗୋପୀକାନ୍ତ ଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ ୨୦୨୩ ଡିସେମ୍ବର ୧୮ ତାରିଖରୁ ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଗୋପୀକାନ୍ତ ସୁନା ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ବାହା ହେବାକୁ ମନା କରି ଦେଇଥିଲେ।

ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କ ଜାଣିବାକୁ ପାଇଲେ ଯେ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁନା ଏହିଭଳି ଢଙ୍ଗରେ ଆହୁରି କିଛି ଛାତ୍ରୀଙ୍କୁ ଶୋଷଣ କରିଛନ୍ତି। ଏହା ତାଙ୍କୁ ଖୁବ୍ ମାନସିକ ଆଘାତ ଦେଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଶ୍ରୀ ସୁନା ତାଙ୍କ ପଦବୀର ଅପବ୍ୟବହାର କରିଛନ୍ତି ଓ ଅନେକ ନିରୀହ ଛାତ୍ରଛାତ୍ରୀଙ୍କୁ ହଇରାଣ କରିଛନ୍ତି।

ଛାତ୍ରୀଙ୍କଠାରୁ ଏହି ଅଭିଯୋଗ ପାଇବା ପରେ ସମ୍ବଲପୁର ମହିଳା ଥାନା ପୁଲିସ୍ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ସୁନାଙ୍କୁ ବୁଢ଼ାରାଜାର ପ୍ରଫେସର କଲୋନୀ ସ୍ଥିତ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରି ଘଟଣା ଯୋଗୁ ଶିକ୍ଷାନୁଷ୍ଠାନ ବଦନାମ ହେଉଛି ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ସସ୍‌ପେଣ୍ଡ କରାଯାଇଛି।

ସୂଚନାଯୋଗ୍ୟ, ଶିକ୍ଷା ବିଭାଗର ଏଚ୍‌ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମାନସିକ ନିର୍ଯାତନା ଦେଉଥିବା ବେଳେ ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ସୋମବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତିକ ବାତାବରଣ ମଧ୍ୟ ବେଶ୍ ଉଷ୍ମ ରହିଛି

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande