ଭଦ୍ରକ, ୧୬ ଜୁଲାଇ (ହି.ସ.) - ବୈତରଣୀ ନଦୀ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଯାହା କେନ୍ଦୁଝର, ଭଦ୍ରକ, ଜାଜପୁର ଓ ବାଲେଶ୍ୱର ଜିଲ୍ଲା ମାଧ୍ୟମରେ ପ୍ରବାହିତ ହୁଏ । ବର୍ଷା ଋତୁରେ ଉପରମୁଣ୍ଡ ଅଂଚଳରେ ଅତିରିକ୍ତ ବର୍ଷା ହେବା ଫଳରେ ଏହି ନଦୀର ଜଳସ୍ତର ବୃଦ୍ଧି ହୁଏ ଓ ବନ୍ୟା ପରିସ୍ଥିତି ସୃଷ୍ଟି କରେ ।୨୦୨୫ ଜୁଲାଇ ମାସରେ ଉପର ମୁଣ୍ଡରେ ହେଉଥିବା ଅତିବୃଷ୍ଟି ଓ ଲଘୁଚାପ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ଅସାଧାରଣ ଭାବରେ ବୃଦ୍ଧି ପାଇଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଏବେ ଏହି ଜଳସ୍ତର ୧୮.୬ମିଟରକୁ ଉଠିଛି । ଏହି ବୃଦ୍ଧି ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କାକୁ ଜନ୍ମ ଦେଇଛି ।ତଳ ନଈ କୁଳିଆ ଗାଁ ଯଥା ହସନାବାଦ, ଅର୍ଜ୍ଜୁନ ପୁର, ନଦି ଗାଁ, ଧୁଷୁରି, ପାଳ ସାହି, ରହି ପୁର୍ତ ଭଟ୍ଟ ସାହି ପ୍ରମୁଖ ପଂଚାୟତ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡିଓ ଓ ତହସିଲଦାରମାନଙ୍କୁ ତୀବ୍ର ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଧ ଭାଙ୍ଗିବା ଆଶଙ୍କା ରହିଥିବାରୁ ବାଉଁଶ ଓ ବାଲିବସ୍ତା ଦ୍ୱାରା ରାସ୍ତା ସୁରକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖାଯାଇଛି ଓ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି ।ବୈତରଣୀ ନଦୀର ବନ୍ୟା ଜଳ ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଚିନ୍ତାଜନକ । ଶତାଧିକ ଏକର ଧାନ ଜମି ବୁଡ଼ିଯାଇଛି । ଏହି ବନ୍ୟା ଚାଷୀମାନଙ୍କ ଆର୍ôଥକ ଅବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିପାରେ ।ଏସ ଡି ଓ କିଶୋର ଦାସ ଙ୍କ କହିବା ଅନୁଯାୟୀ ବୈତରଣୀ ର ଜଳ ସ୍ତର ଉପର ମୁଣ୍ଡରେ କିଛି କମିବା ରେ ଲାଗିଚି ମାତ୍ର ତଳିଆ ଅଂଚଳରେ ଏବେ ବି ବୈତରଣୀ ର ଜଳ ସ୍ତର ଅଧିକ ରହିଛି । ଆଗାମୀ ଦିନରେ ଲଗାଣ ବର୍ଷା ହେଲେ ସମ୍ଭାବ୍ୟ ବନ୍ୟା ଆଶଙ୍କା କୁ ଟାଳି ଦିଆ ଯାଇ ନ ପାରେ ।ଯଦି ଉପରମୁଣ୍ଡରେ ଅଧିକ ବର୍ଷା ହେବା ଜାରି ରହିଥାଏ, ତେବେ ବୈତରଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇପାରେ । ଏହା ତଳିଆ ଅଞ୍ଚଳରେ ଜଳମଗ୍ନତା, ରୋଗ ବ୍ୟାପନ, ଓ ଜନସ୍ଥାନାନ୍ତର ଅବସ୍ଥାକୁ ଉଦ୍ଭବ କରିପାରେ ।ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଏକ ପ୍ରାକୃତିକ ଘଟଣା ହେଲେ ମଧ୍ୟ, ଏହାର ପ୍ରଭାବ ମାନବ ଜୀବନ ଓ ଆର୍ôଥକତା ଉପରେ ଗଭୀର ଭାବେ ପଡ଼ିଛି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ