ଜୟପୁର, ୧୬ ଜୁଲାଇ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାରେ ଦିନ ଥିଲା ଘରମାନଙ୍କରେ ଦେଶୀ ମାଛକୁ ସମସ୍ତେ ପସନ୍ଦ କରୁଥିଲେ । ହେଲେ ଏବେ ଦେଶୀ ମାଛ ଆଉ ଦେଖିବାକୁ ମିଳୁନାହିଁ । ଆନ୍ଧ୍ର ମାଛ ଭରସାରେ ଚାଲିଛି । ଆନ୍ଧ୍ର ମାଛ ନଆସିଲେ ମାଛ ଖାଇବାକୁ ପାଇବେ ନାହିଁ ଜିଲାବାସୀ । ବିଶେଷକରି କଉ, ଗଡ଼ିଶା, ରତା, ଶେଉଳ, ମାଗୁର, କେରାଣ୍ଡି, କଣ୍ଟିଆ, ଚେଙ୍ଗ ମାଛକୁ ବିଲ, ଗଡ଼ିଆରୁ ଧରି ହାଟ ବଜାରରେ ବିକ୍ରି ହୋଇ ପାରୁଥିଲା । ବର୍ଷା ସମୟରେ ଦେଶୀ ମାଛ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିଲା । ବର୍ଷା ଟିକେ ହେଉ ହେଉ ଦେଶୀ ମାଛ ସବୁ ରାସ୍ତା ଉପରକୁ ଉଠି ଆସୁଥିଲେ, ହେଲେ ଏବେ ଦେଶୀ ମାଛ ବଂଶ ଲୋପ ପାଇଯିବାକୁ ବସିଲାଣି । ଗାଁ ମାନଙ୍କରେ ଯେତିକି ବି ବିଲ ରହିଛି, ସେଥିରୁ ଅଧିକ ଅମଳ ପାଇଁ ଚାଷୀମାନେ ସାର, କୀଟନାଶକ ଆଦି ବହୁଳ ବ୍ୟବହାର କରୁଛନ୍ତି । ଫଳରେ ଗଡ଼ିଆ, ପୋଖରୀ, ନଈ-ନାଳରୁ ବର୍ଷାପାଣିରେ ଉଠିଆସୁଥିବା ମାଛମାନେ ବିଲରେ ଅଧିକ ଦିନ ବଞ୍ଚୁନାହାନ୍ତି କି ବଂଶ ବିସ୍ତାର କରିପାରୁ ନାହାନ୍ତି । ପୁଣି ଚାଷଜମିର ଏହି ରାସାୟନିକ ଓ ବିଷପାଣି ବୋହିଯାଇ ଗଡ଼ିଆ, ପୋଖରୀ, ନଈ, ନାଳରେ ମିଶିବା ଫଳରେ ସେଠାରେ ମଧ୍ୟ ମାଛ ବଂଶ ଲୋପ ପାଇବାକୁ ବସିଲେଣି । ତେଣୁ ସଂପ୍ରତି ଗାଁଗଣ୍ଡାର ନଈ, ପୋଖରୀରେ ଦେଶୀ ମାଛ ସ୍ୱପ୍ନ ହୋଇଗଲାଣି ଯେଉଁଥିପାଇଁ ସହରର ଦୋକାନବଜାରରେ ଏବେ ଆଉ ଦେଶୀ ମାଛ ଦେଖିବାକୁ ମିଳୁନାହାନ୍ତି ଓ ସହର ଉପକଣ୍ଠରେ ବି ଏବେ ଆଉ ବିଲ ବା ଚାଷଜମି ନାହିଁ ଓ ଯେତିକି ବି ଥିଲା, ତା'ଉପରେ ବଡ଼ ବଡ଼ କୋଠାମାନ ଠିଆ ହୋଇଛି । ତେଣୁ ଏବେ ସହରୀ ଲୋକମାନେ ମୁୁଖ୍ୟତଃ ଆନ୍ଧ୍ର ମାଛ ଉପରେ ନିର୍ଭର କରୁଛନ୍ତି । ଓଡ଼ିଶାରେ ୧୮୦ ପ୍ରଜାତିର ମଧୁର ଜଳ ମାଛ ରହିଛନ୍ତି । ସେମାନଙ୍କ ମଧ୍ୟରେ ରୋହି, ଭାକୁର, ମିରିକାଳି ଅନ୍ୟତମ। ଏହା ବ୍ୟତୀତ ଚିଲିକା ହ୍ରଦରେ ୩୧୭ ପ୍ରଜାତିର ସାମୁଦ୍ରିକ ମାଛ ଦେଖାଯାଆନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି