କନ୍ଧମାଳ ,୧୬ଜୁଲାଇ(ହି.ସ.) ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ପାଇଁ ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଫୁଲବାଣୀ ବିଧାୟକ ଉମା ଚରଣ ମଲିକଙ୍କ ଅଧ୍ୟକ୍ଷତାରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ମ ବିଧାୟକ ଓ ନାଗରିକ କମିଟିର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ନାଗରିକ କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ଦେଇ ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦-୦୩-୨୦୧୮ ରୁ କିପରି ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଥିଲେ। ଜନସାଧାରଣଙ୍କ ମତାମତ ଲୋଡା ନଯାଇ ନିର୍ବାଚିତ କାଉନସିଲ ନଥିବା ବେଳେ ମୂଲ୍ୟାୟନ ଟିମ ମନ ଇଛାରେ ପୂର୍ବରୁ ଦେଉଥିବା ଟିକସର ୨୦- ୩୦ ଗୁଣରୁ ଅଧିକ ଟିକସ ବୃଦ୍ଧି ପାଇଁ ସୁପାରିଶ କରିଥିଲେ।ଯାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।ଓ ପରବର୍ତ୍ତୀ ସମୟରେ ପ୍ରତିବାଦ କରାଯାଇଥିଲା।ଏହାର ସମାଧାନ ପାଇଁ ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଉଦ୍ୟମ କରିଥିବା ବେଳେ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ନାଗରିକ କମିଟିର ମତାମତ ଲୋଡିଥିଲେ। ଫୁଲବାଣୀ ସହର ଓଡ଼ିଶାର ୪ନମ୍ବର କାଟେଗୋରୀରେ ଆସୁଥିବା ନିର୍ବାହୀ ଅଧିକାରୀ ସୂଚନା ଦେବା ସହ ନଗର ଉନ୍ନୟନ ବିଭାଗର କେଉଁ ନିୟମାବଳୀ ଆଧାରରେ ବର୍ଦ୍ଧିତ ହୋଲଡିଂ ଟିକସ ଲାଗୁ ହୋଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ।କିନ୍ତୁ ଫୁଲବାଣୀ ଭଳି ୪ନମ୍ବର ସହର ପାଇଁ ଏକ ନମ୍ବର ସହରର ଟିକସ ଲାଗୁ କରିବାକୁ କରାଯାଉଥିବା ପ୍ରୟାଶକୁ ନାପସନ୍ଦ କରାଯାଇଥିଲା।ଜମିର ବେଞ୍ଚମାର୍କ ମୂଲ୍ୟକୁ ହୋଲଡିଂ ଟିକସ ହିସାବ କରିବାରେ ପ୍ରଥମ ଥର ପାଇଁ ମିଶାଯାଉ ଥିବାରୁ ଟିକସ ପରିମାଣ ପୂର୍ବ ଟିକସର କୋଡ଼ିଏ ଗୁଣରୁ ଅଧିକ ହେଉଥିବା ଅଭିଯୋଗ ହୋଇଥିଲା,ଯାହା ଜଣେ ହୋଲଡିଂ ଧାରୀ ଦେବା ସମ୍ଭବ ନୁହେଁ। ଏହି ଅବସରରେ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡ ଅରୂପ କୁମାର ଜେନାଙ୍କ ସହ ଆଇନଜୀବୀ ଭି ଭି ରାମଦାସ,ଭଗବାନ ମହାନ୍ତି,ବିଜୟ ମହାନ୍ତି, ବିଜୟକୃଷ୍ଣ ପଟନାୟକ, ବିରଜା ନାହାକ, ପୂର୍ବତନ ଚେୟାରମ୍ୟାନ କମଳାକାନ୍ତ ପାଣ୍ଡେ, ପ୍ରତାପ ପାତ୍ର,ବରିଷ୍ଠ ନାଗରିକ ପଦ୍ମ ଚରଣ ସ୍ୱାଇଁ,ନବୀନ କିଶୋର ପଣ୍ଡା,ବଂଶଧର ପଣ୍ଡା, ପ୍ରଣବ ମଣ୍ଡଳ,ପଦ୍ମଚରଣ ସାହୁ,ଅବନି କହଁର ପ୍ରମୁଖ ଆଲୋଚନାରେ ଭାଗ ନେଇ ସମସ୍ତଙ୍କୁ ସୁହାଇଲା ଭଳି ଟିକସ ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଧାୟକ ଏହାର ଆସୁ ସମାଧାନ ପାଇଁ ଏକ ମିଳିତ କମିଟି ଗଠନ କରି ଟିକସ ଧାର୍ଯ୍ୟ ନିୟମ ଅନୁଯାୟୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଆବଶ୍ୟକ ସ୍ଥଳେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସୂଚନା ଦେଇଥିଲେ। ପୌର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ବୈଷୟିକ ପରାମର୍ଶ ଦାତାଙ୍କ ସହ ୩ଜଣ କାଉନସିଲର କମିଟିରେ ରଖିବାକୁ କାଉନସିଲର ମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ନାଗରିକ କମିଟି ପକ୍ଷରୁ ଆଇନଜୀବୀ ପ୍ରତାପ ପାତ୍ର,ଭଗବାନ ମହାନ୍ତି ଓ ବିଜୟକୃଷ୍ଣ ପଟ୍ଟନାୟକ,ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ଓ ସଭାପତି ଡ ଅରୂପ ଜେନାଙ୍କୁ କମିଟିରେ ସାମିଲ କରାଯାଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ୧୫ଦିନ ମଧ୍ୟରେ କମିଟି ଆଲୋଚନା କରି ଟିକସ ଧାର୍ଯ୍ୟର ମାନଦଣ୍ଡ ସ୍ଥିର କଲେ ପୌର ପରିଷଦ ଓ ଜନ ସାଧାରଣ ଉପକୃତ ହୋଇପାରିବେ। ଦୀର୍ଘ ପାଞ୍ଚ ବର୍ଷର ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିଥିବା ମାନ୍ୟବର ବିଧାୟକ,ଫୁଲବାଣୀ ଓ ନୂତନ ନିର୍ବାହୀ ଅଧିକାରୀଙ୍କ ପଦକ୍ଷେପ ନେଇଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ