କନ୍ଧମାଳ, ୧୬ ଜୁଲାଇ (ହି.ସ.)- ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ମନୋରଞ୍ଜନ ଦାଶ ଏକ ୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଶଙ୍କର ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ଅଧିକ ୧୩ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲାକୁ ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ଗତ ୨୦୨୪ ମସିହା ଫେବୃଆରୀ ୧୯ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ରାଇକିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ରାଇକିଆ ଥାନାଧିକାରୀ ଏକ ମାମଲା ୨୦/ ୨୦୨୪ ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ସେହି ମାମଲାରର ବିଚାରଣା କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପୀଡ଼ିତାକୁ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ