କେରଳରେ ଶ୍ରମିକ ଭାବେ କାମ କରୁଥିବା ସୁରଜ୍ ବର୍ତ୍ତମାନ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଛାତ୍ର, ସହଯୋଗର ହାତ ବଢାଇଲେ ଜିଲ୍ଲାପାଳ
ଭବାନୀପାଟଣା, ୧୬ ଜୁଲାଇ (ହି.ସ.)- ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ ପାଇ ୪୯୮ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ସମଗ୍ର ବ୍ଲକକୁ ଗୌରାବାନ୍ବିତ କରିଥିବା ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନଭାଡ଼ି ଗାଁ ତଥା ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁରଜ୍ ନାଗ, ଜଣେ ଅତି ଗରିବ ଘରର ପିଲା
କେରଳ ରେ ଶ୍ରମିକ ଭାବେ କାମ କରୁଥିବା ସୁରଜ୍ ବର୍ତ୍ତମାନ ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଛାତ୍ର । ସହଯୋଗର ହାତ ବଢାଇଲେ ଜିଲ୍ଲାପାଳ କଳାହାଣ୍ଡି


ଭବାନୀପାଟଣା, ୧୬ ଜୁଲାଇ (ହି.ସ.)-

ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ ପାଇ ୪୯୮ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ସମଗ୍ର ବ୍ଲକକୁ ଗୌରାବାନ୍ବିତ କରିଥିବା ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନଭାଡ଼ି ଗାଁ ତଥା ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁରଜ୍ ନାଗ, ଜଣେ ଅତି ଗରିବ ଘରର ପିଲା l ଦଶମ ବୋର୍ଡ ପରୀକ୍ଷାରେ ତାଙ୍କର ଏହି ସଫଳତାକୁ ନେଇ ନିଜ ପରିବାର ଓ ଗାଁ ଲୋକ ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ବେଶ୍ ଖୁସି ହୋଇଥିଲେ । ଏହି ସଫଳତା ପାଇଁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ମେଧାବୀ ଛାତ୍ର ସୁରଜ୍ ଓ ଆଉ ଦୁଇ ଜଣ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ହେଲେ ଏହି କାର୍ଯ୍ୟକ୍ରମରେ ଅନ୍ୟ ଦୁଇ ଜଣ ଛାତ୍ରଙ୍କ ସହିତ ସୁରଜ୍ ନାଗ ସାମିଲ ହୋଇପାରିନଥିଲେ କାହିଁକିନା ସେ ଅଭାବ ଅନାଟନ ଓ ଦାରିଦ୍ରତା ଯୋଗୁଁ ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ପାସ କରିଥିଲେ ମଧ୍ୟ କଲେଜରେ ନାମ ଲେଖାଇ ପାରିନଥିଲେ l ପାଠ ପଢ଼ିବାର ସ୍ବପ୍ନ ଓ ଆଶା ତାଙ୍କର ମଉଳି ଯାଇଥିଲା ଓ ସେ ପାଠ ପଢ଼ାରେ ଡୋରି ବାନ୍ଧି ଶ୍ରମିକ ଭାବେ କାମ କରି ଅର୍ଥ ଉପାର୍ଜନ କରିବା ଆଶାରେ ସୁଦୂର କେରଳ ଚାଲିଯାଇଥିଲେ । ତା. ୦୪.୦୬.୨୦୨୫ ରିଖରେ ( ସଂଚାର ବ୍ୟୁରୋ ) ଖବର କାଗଜରେ ପ୍ରକାଶିତ ଶୀର୍ଷକ ପାଠପଢ଼ାରେ ଡୋରି, ମାଟ୍ରିକ ଟପ୍ପର ସୁରଜ୍ ପରିବାର ପାଇଁ କେରଳରେ ଦାଦନ ଶ୍ରମିକ ଖବର ଜିଲ୍ଲାପାଳଙ୍କ ନଜରକୁ ଆସିବା ସଙ୍ଗେ ସଙ୍ଗେ ଏହାର ତଦନ୍ତ କରି ସୁରଜ୍ କୁ କେରଳରୁ ଆଣି ତା'ର ପାଠ ପଢ଼ିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦାରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ସହଯୋଗରେ କେରଳରୁ ସୁରଜ୍ ନାଗଙ୍କୁ ଠାବ କରି ତାକୁ କଳାହାଣ୍ଡି ଜିଲ୍ଲାକୁ ଅଣାଯାଇଥିଲା । ସୁରଜ୍ ନିଜ ଜିଲ୍ଲାକୁ ଫେରି ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଭେଟି ନିଜର ସବୁ ଦୁଃଖ ଜଣାଇଥିଲେ । ସେ ଜଣେ ମେଧାବୀ ଛାତ୍ର ହୋଇଥିଲେ ସୁଧା ପରିବାରର ଆର୍ଥିକ ସମ୍ବଳ ନ ଥିବାରୁ କଲେଜରେ ପାଠ ପଢିବା ତାଙ୍କ ପାଇଁ ସମ୍ଭବ ନ ଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ତା'ର ପାଠ ପଢା ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରିଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉଦାର ହୃଦୟରେ ଏହାର ସୁବିଚାର କରି ତୁରନ୍ତ କଲେଜରେ ସୁରଜ୍ ର ପାଠପଢା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫୬,୭୨୦ ଟଙ୍କା ମଞ୍ଜୁର କରି ପ୍ରଦାନ କରିଥିଲେ ଏବଂ ସୁରଜ୍ ର ଉନ୍ନତ ଭବିଷ୍ୟତ କାମନା କରିବା ସହିତ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ l ତା' ସହିତ ସୁରଜ୍ ର ପାଠପଢା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ମଧ୍ୟ ଜିଲ୍ଲାପାଳ ସୁରଜ୍ କୁ ସ୍ଵହସ୍ତରେ ପ୍ରଦାନ କରିଥିଲେ । ସୁରଜ୍ ବର୍ତ୍ତମାନ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ଅଧୀନରେ ଯୁକ୍ତ ଦୁଇ କଳା ଶ୍ରେଣୀର ପ୍ରଥମ ବର୍ଷ ଛାତ୍ର ଭାବେ ନିଜର ଆଡ଼ମିସନ କରିସାରିଛନ୍ତି ଏବଂ ହଷ୍ଟେଲରେ ରହିବା ସହିତ ତାଙ୍କର ସମସ୍ତ ଆବଶ୍ୟକ ସୁବିଧାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ କରାଯାଇଛି । ଜିଲ୍ଲାପାଳଙ୍କ ଉଦ୍ୟମରେ ଜିଲ୍ଲା ପ୍ରଶାସନ ତରଫରୁ ସୁରଜ୍ କୁ କଲେଜରେ ପାଠ ପଢ଼ିବାର ସୁଯୋଗ ମିଳିଥିବାରୁ ସୁରଜ୍ ଜିଲ୍ଲାପାଳଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ମୋ ପରି ଜଣେ ଅତି ଗରିବ ଘର ପିଲାର ଭବିଷ୍ୟତ ନିର୍ମାଣ ପାଇଁ ଜିଲ୍ଲାପାଳ ସାର୍ ସହଯୋଗ କରିଥିବାରୁ ମୁଁ ତାଙ୍କ ପାଖରେ ଚିର ଋଣୀ ରହିବି ବୋଲି କହିଛନ୍ତି ସୁରଜ୍ l ଏହି ସହଯୋଗ ପାଇଁ ସୁରଜ୍ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପାଠପଢା ଛାଡି ପେଟପାଟଣା ପାଇଁ ରୋଜଗାର ଆଶାରେ କେରଳରେ ଶ୍ରମିକ ଭାବେ କାମ କରୁଥିବା ସୁରଜ୍ ନାଗ ବର୍ତ୍ତମାନ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଅଧୀନରେ ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ବର୍ଷ ଛାତ୍ର ଭାବରେ ନିଜର ଆଡ଼ମିସନ ହୋଇଥିବାରୁ ଏଥିପାଇଁ ନିଜକୁ ଗର୍ବିତ ମନେ କରି ଖୁସିରେ ପାଠ ପଢିବା ସହିତ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande