ଭୁବନେଶ୍ୱର,୧୬ ଜୁଲାଇ (ହି.ସ.) - ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ମୃତା ସୈାମ୍ୟାଶ୍ରୀ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ, ତାହା କରିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ। ଏହି ଅଭାବନୀୟ ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖୋଦ ନିଜେ ଦୁଇ ଥର ଯାଇ ଘଟଣାର ତଦାରଖ କରିଛନ୍ତି। ଯେଉଁମାନେ ଛାତ୍ରୀଙ୍କୁ ଅପମାନିତ କରି ଆତ୍ମହତ୍ୟା ପାଇଁ ପ୍ରବର୍ତାଇଛନ୍ତି, ତାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ପୀଡିତାକୁ ନ୍ୟାୟ ଦେବା ହେଉଛି ଏକମାତ୍ର ଲକ୍ଷ୍ୟ । ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବାକୁ ରାଜ୍ୟ ସରକାର ଚେଷ୍ଟିତ ଅଛନ୍ତି । ବିଜେପି ସରକାର ମହିଳା ବିକାଶ ଓ ସଶକ୍ତିକରଣ ପ୍ରତି ସମର୍ପିତ । ମହିଳା ହିଂସାକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।ପ୍ରମୁଖ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ସମ୍ବେଦନହୀନତାର ସମସ୍ତ ସୀମା ଉଲ୍ଲଂଘନ କରି ହୀନ ରାଜନୀତି ଆରମ୍ଭ କରିଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ।
ଶ।।ନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ବିଜେଡି ଅନୁମତି ନେଇଥିବାବେଳେ ହିଂସାତ୍ମକ ଆଚରଣ କରିଥିଲା । କିନ୍ତୁ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିଥିବାରୁ ପୋଲିସ ପ୍ରଶାସନ ଧନ୍ୟବାଦର ପାତ୍ର । ନିଜ ଅସ୍ତିତ୍ୱ ବଂଚାଇବା ପାଇଁ ବିଜେଡି ଲୋକସେବା ଘେରାଓ ନାମରେ ଆନ୍ଦୋଳନ କରିଛି । ମାତ୍ର ହାତଗଣତି କିଛି ନେତା ଓ ଅଳ୍ପ ସଂଖ୍ୟା କର୍ମୀମାନେ ଉପସ୍ଥିତ ଥିଲେ । ଯାହାକି, ଆଜିର ଘେରାଓ ଡାକରାକୁ ବିଜେଡି କର୍ମୀମାନେ ସମର୍ଥନ କରୁନଥିବା ସ୍ପଷ୍ଟ ହୋଇଛି । ନିଜ ୨୪ ବର୍ଷ ଶାସନରେ ବିଶ୍ୱସ୍ତରୀୟ ହସପିଟାଲ ଓ ଚିକିତ୍ସ ବ୍ୟବସ୍ଥା କରିଥିବାର ବାହାସ୍ପୋଟ ମାରୁଥିବା ବିଜେଡି ନେତାମାନେ କାହିଁକି ଆଜି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ? ବାସ୍ତବରେ ବିଜେଡି ଦୁର୍ବଳ ହେବାରେ ଲାଗିଛି । ଅନ୍ୟ ପଟେ ବିଜେଡିର ଭାଇ କଂଗ୍ରେସର ମଧ୍ୟ ସମାନ ପରିସ୍ଥିତି । ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଶ୍ରୀ ତ୍ରିପାଠୀ ଉଭୟ ବିଜେଡି ଓ କଂଗ୍ରେସ ଦଳକୁ ପରାମର୍ଶ ଦେଇଛନ୍ତି ।
ଇତିହାସକୁ ମନେ ପକାଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନାରୀ ନିର୍ଯ୍ୟାତନାର ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବିଲତା, ମମିତା, ସ୍ମିତାରାଣୀଙ୍କ ସମେତ ଅନେକ ପରିବାରକୁ ନ୍ୟାୟ ଦେଇପାରିନଥିବା ବିଜେଡି ଶାସନ ଆଜି ମହିଳା ସୁରକ୍ଷା ପ୍ରସଙ୍ଗରେ ବିବୃତି ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ୨୦୧୮ ମସିହା ଜାନୁଆରୀ ୨ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ପୁରସ୍କାର କିଣି ଭୁବନେଶ୍ୱରରେ ଉତ୍ସବ ପାଳନ କରୁଥିବାବେଳେ ବହୁଚର୍ଚ୍ଚିତ କୁନ୍ଦୁଲୀ ପୀଡିତା ଆତ୍ମହତ୍ୟା କରିଥିଲେ । ଏପରିକି ପୀଡିତାଙ୍କ ପରିବାରକୁ ଟଙ୍କା ଜଚାଯାଇ ମୁହଁ ବନ୍ଦ କରିବାର ପ୍ରୟାସ କରାଯାଇଥିଲା। ସେତେବେଳେ ବିଜେଡି ନେତାମାନେ କୁଆଡେ ଯାଇଥିଲେ ? ବିଜେଡି ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅନେକ ମହିଳା ବ୍ୟଭୀଚାର ଘଟଣା ଘଟିଛି ଏବଂ ଅପରାଧୀମାନଙ୍କୁ ଖସାଇ ଦେବା ପାଇଁ ସରକାରୀ କଳ ଓ ପ୍ରଶାସନର ଅପବ୍ୟବହାର କରାଯାଇଛି, ଯାହାକୁ ଓଡିଶାର ଅଗଣିତ ମା ଓ ଭଉଣୀମାନେ ଦେଖିଛନ୍ତି । ତେଣୁ ବିଜେଡିର ଆନ୍ଦୋଳନ କେବଳ ଏକ ପ୍ରହସନ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା