ବଲାଙ୍ଗିର, ୧୭ ଜୁଲାଇ (ହି.ସ.)- କଲେଜର ଅଧ୍ୟକ୍ଷଙ୍କ ନିର୍ଯ୍ୟତନା ସହି ନପାରି ବାଲେଶ୍ଵର ଫକୀର ମୋହନ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମlହୁତି ଘଟଣାକୁ କେନ୍ଦ୍ର କରି ଆଜି ରାଜ୍ଯ କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆ ଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର କଂଗ୍ରେସ କମିଟି ଡାକରାରେ ଆହୁତ ବଲାଙ୍ଗୀର ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି l ଆଜି ବଲାଙ୍ଗୀରର ସମସ୍ତ ଦୋକାନ ବଜାର, ଗାଡି ମୋଟର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ ରହିଥିଲା l ତେବେ ବଲାଙ୍ଗୀର ସିଭିଲ କୋର୍ଟ କାମ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଥିବା ବେଳେ ଜରୁରୀକାଳୀନ ସେବା ଯେଭଳି ପ୍ରଭାବିତ ନହେବ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ଓ ଏଥିରେ କଲେଜ କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯିବା ସହ ରାଜ୍ଯ ଓ କେନ୍ଦ୍ର ନେତୃତ୍ୱାଧୀନ ବିଜେପି ସରକାରର ନାରୀ ସମାଜ ପ୍ରତି ହେୟଜ୍ଞାନ ମନୋଭାବର ଏକ ନମୁନା ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ଏକଜୁଟ ହୋଇ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅସଫଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଛନ୍ତି l
ଆଜିର ବନ୍ଦକୁ କଂଗ୍ରେସ ସମେତ ଏ ଆଇ ଡି ଏସ୍ ଓ ପରି ଛାତ୍ର ସଂଗଠନ ମାନେ ସମର୍ଥନ କରିଛନ୍ତି l ଆଜି ସ୍ଥାନୀୟ କଚେରୀ ଛକ ଠାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ଶତାଧିକ କଂଗ୍ରେସ କର୍ମୀ l ଆଜି ବନ୍ଦ ଯୋଗୁଁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିବା ଯୋଗୁଁ ଅନ୍ୟସ୍ଥାନକୁ ଯିବାକୁ ଥିବା ଯାତ୍ରୀ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ