ଭୁବନ, ୧୭ ଜୁଲାଇ (ହି.ସ.)- ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଓଡ଼ିଶା ବନ୍ଦ ଆହ୍ଵାନ କ୍ରମେ ଭୁବନରେ ଆଜି ବନ୍ଦ ପାଳନ କରାଯାଇଥିଲା। ବ୍ୟବସାୟ ପ୍ରତିଷ୍ଠାନ ସ୍ଵତଃ ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା । ଟାଉନ୍ କଂଗ୍ରେସ କମିଟି ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ଵ, ଶ୍ୱେତକେତୁ ମିଶ୍ର, ବିନୋଦ ମହାରଣା, ମୁସ୍ତାଫିଜ୍ ଆଲମଙ୍କ ତତ୍ତ୍ଵାବଧାନରେ କର୍ମୀ ମାନେ ପିକେଟିଂ କରି ବ୍ଲକ, ଏନ୍ ଏ ସି, ତହସିଲ ଅଫିସ ସମେତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡ଼ିକୁ ବନ୍ଦ କରାଇଥିଲେ। କାଳୀ ବଜାର ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ କର୍ମୀ ମାନେ ସରକାର ବିରୋଧୀ ନାରାବାଜି କରିଥିଲେ । କଂଗ୍ରେସ ନେତା ବିପ୍ରବର ସାହୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବନ୍ଦକୁ ଅଭୂତପୂର୍ବ ସମର୍ଥନ ଦେଇ ସଫଳ କରାଇଥିବାରୁ ଭୁବନ ବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଭୁବନ ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ