ମାଲକାନଗିରି, ୧୭ଜୁଲାଇ (ହି.ସ.)ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ମୃତ୍ୟ ମାମଲାରେ ରାଜ୍ୟ କଂଗ୍ରେସ ଆଜି ସମଗ୍ର ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସହର ସମେତ ଜିଲ୍ଲା ର ସମସ୍ତ ବ୍ଲକ ଏବଂ ଏନଏସି ରେ କଂଗ୍ରେସ ର ବ୍ଲକ ସ୍ତରୀୟ ନେତାମାନେ ନିଜ ନିଜ ଅଞ୍ଚଳରେ ଥିବା ପ୍ରବେଶ ପଥ ଗୁଡିକରେ କଂଗ୍ରେସ ପତାକା ଲଗାଇ ବିଜେପି ସରକାର/ମୋହନ ସରକାର ବିରୁଦ୍ଧରେ ବିଭିନ୍ନ ନାରା ବାଜି ସ୍ଲୋଗାନ ଦେଇ ବନ୍ଦ ଡାକରା କୁ ସଫଳ କରିଛନ୍ତି। ଏହି ବନ୍ଦ ଡାକରାରେ ଆଜି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିଲେ। ପ୍ରଥମେ ସେ ମାଲକାନଗିରି ସହରରେ ପହଂଚି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେବା ସହ ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏହି ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ କୋରଡ଼ିନେଟର ଜି ଶ୍ରୀନିବାସ ରାଓ, ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଅନୁଗୁ ଙ୍କ ସମେତ ଅନ୍ୟ କଂଗ୍ରେସ ନେତା ମାନେ ଉପସ୍ଥିତ ଥିଲେ। ସେହିପରି ବାଲିମେଳା ନଗର କଂଗ୍ରେସ ସଭାପତି ସୁରେଶ ଖୋସଲା ଙ୍କ ନେତୃତ୍ୱରେ ବାଲିମେଳା ସହରରେ ବନ୍ଦ ଡାକରା ସଫଳ ହୋଇଥିବା ବେଳେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପହଂଚି ସହରର ୧ ନଂ ୱାର୍ଡ ନୂଆ ସାହି ସ୍ଥିତ ଚେକ ଗେଟ ଠାରୁ ଏକ ବାଇକ ରାଲି ଯୋଗେ ସମଗ୍ର ସହର ପରିକ୍ରମା କରିଥିଲେ। ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଏହି ରାଲି ଟି ସମଗ୍ର ସହର ପରିକ୍ରମା କରିଥିଲା। ପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ସେଠାରେ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମା ର ଶାନ୍ତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ନାରା କମ୍ପି ଉଠିଥିଲା। ଆଜିର ଏହି ବନ୍ଦ ଡାକରାରେ ଯୁବ କଂଗ୍ରେସ ନେତା ଇସାକ୍ ଖୋସଲା, ପିସିସି ସଦସ୍ୟ ରବି ହରିଜନ, ବିଜୟ ଖିଲ, ଚେତନା ଦାସ, ରାଜୀବ ଚନ୍ଦ୍ର ଖରାଙ୍କ ସମେତ କଂଗ୍ରେସର ବହୁ କର୍ମୀମାନେ ଉପସ୍ଥିତ ଥିଲେ। ସେହିପରି କୋରୁକୋଣ୍ଡା ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା। କୋରୁକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ବିନାୟକ ପାତ୍ର ଙ୍କ ନେତୃତ୍ୱରେ ଏହି ବନ୍ଦ ଡାକରା ସଫଳ ହୋଇଥିବା ବେଳେ ମାଲକାନଗିରି-ବାଲିମେଳା କୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। କୋରୁକୋଣ୍ଡା ସଦର ପେଟ୍ରୋଲ ପମ୍ପ ଠାରେ ରାସ୍ତା ଅବରୋଧ କରାଯାଇଥିଲା।କାଲିମେଳା ଠାରେ ବିଧାୟକ ପାର୍ଥ ତଥା ପୂର୍ବତନ ବ୍ଲକ ଅଧକ୍ଷ ମାଲା ମାଢି ଙ୍କ ନେତୃତ୍ୱ ରେ ରାସ୍ତା ଅବରୋଧ କରାଯାଇଥିଲା!
ସେହିପରି ଭାବେ ସମ୍ପୂର୍ଣ୍ଣ ଜିଲ୍ଲା ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଜରୁରୀ କାଳୀନ ସେବା ଆମ୍ବୁଲାନ୍ସ ସେବା ଏବଂ ମେଡିକାଲ ବସ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ