ବ୍ରହ୍ମପୁର, ୧୭ ଜୁଲାଇ (ହି.ସ.)-
କେନ୍ଦ୍ର ସରକାରଙ୍କ ଶ୍ରମିକ କର୍ମଚାରୀଙ୍କ ପ୍ରତି ହେଉଥିବା ଅବହେଳା ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବିରୋଧୀ ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ଆଲୋଚନା ସଭାରେ ତୀବ୍ର ସମାଲୋଚନା କରାଯାଇଛି। କେନ୍ଦ୍ର ତଥା ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇବା ସହ ସଂଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ସ୍ଥାନୀୟ ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି ରାଧା ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, ବରିଷ୍ଠ ସଦସ୍ୟ ରବୀନ୍ଦ୍ର କୁମାର ସାହୁ ଏବଂ ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋଚିତ୍ର ସମ୍ମୁଖରେ ଧୂପ ଦୀପ ପ୍ରଦାନ ପ୍ରଦାନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ ବେଦ ପାଠ କରିଥିଲେ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସମ୍ପାଦକୀୟ ଉପସ୍ଥାପନ କରି ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଆଠ ଗୋଟି ଯଥାର୍ଥ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଠାରେ କେନ୍ଦ୍ର ସରକାରଙ୍କ ପଦକ୍ଷେପର ଦୃଢ଼ ସମାଲୋଚନା କରାଯାଇଥିଲା l ସଭାପତି ଶ୍ରୀ ନାୟକ ସାଂଗଠନିକ ଆଲୋଚନା ସହ ଅନୁଷ୍ଠାନର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବ ଆସନ୍ତା ଅଗଷ୍ଟ ମାସରେ କରିବା ପାଇଁ ଆଗାମୀ ଦିନରେ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ତାରିଖ ନିର୍ଦ୍ଧାରଣ ପାଇଁ ମତ ପ୍ରକାଶ କରିଥଲେ। ଏହି ଅବସରରେ ଜୁଲାଇ ମାସରେ ଜନ୍ମଗ୍ରହଣ କରିଥିବା ରବିନ୍ଦ୍ର କୁମାର ସାହୁ, ଲାୟନ୍ସ ଶ୍ରୀମତୀ ସରସ୍ଵତୀ ପାତ୍ର ଏବଂ ଡଃ. ସୂଚନା ପାଢୀ ସଦସ୍ୟ ସଦସ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଅର୍ପଣ କରାଯାଇଥିଲା। ଅନୁଷ୍ଠିତ ଆଲୋଚନା ସଭାରେ କୋଷାଧ୍ୟକ୍ଷ ଲଡୁକେଶ ମିଶ୍ରଙ୍କ ସମେତ ଗୋପାଳ କୃଷ୍ଣ ପାଢ଼ୀ, ହାଡ଼ିବନ୍ଧୁ ମାଳି, ଡିଲେଷୁ ରେଡ୍ଡୀ, ଏ. ଅଶୋକ କୁମାର ପାତ୍ର, ରବିନ୍ଦ୍ର କୁମାର ନାୟକ, ରାମକୃଷ୍ଣ ଆଚାରୀ, ଡଃ. ବିଜୟ ଚନ୍ଦ୍ର ମହାରଣା, ଅକ୍ଷୟ କୁମାର ପଟ୍ଟନାୟକ ସୁବାସ ଚନ୍ଦ୍ର ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ସଂଯୋଜକ ଗୌରୀଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ