ଜୟପୁର, ୧୭ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରାଣିଗଡ ଗ୍ରାମପଞ୍ଚାୟତ ଠାରେ ରହିଥିବା ତେଲିଙ୍ଗିରି ଜଳଭଣ୍ଡାରରୁ ଖରିଫ ଚାଷ ପାଇଁ କେନାଲରେ ପାଣି ନିଷ୍କାସିତ ହୋଇଛି । ତେଲିଙ୍ଗିର ଡେମ ଜଳ ଉପରେ ମୁଖ୍ୟତଃ ବୋରିଗୁମ୍ମା ବ୍ଲକ କିଛି ଗ୍ରାମପଞ୍ଚାୟତର ଚାଷୀ ମାନେ ନିର୍ଭର କରିଥାଆନ୍ତି । ବୋରିଗୁମ୍ମା ବ୍ଲକ ଧାନ ଚାଷ ଆରମ୍ଭ ହୋଇଥିବା ବେଳେ ବର୍ଷା ହୋଇଥିଲେ ସୁଦ୍ଧା ଜମିକୁ ପାଣିର ଆବଶ୍ୟକତା ରହିଥିବା ଯୋଗୁଁ ଚାଷୀ ମାନଙ୍କୁ ଅନୁରୋଧ ଏବଂ ଜଳସେଚନ, କୃଷି ଏବଂ ରାଜସ୍ବ ବିଭାଗର ମିଳିତ ଅନୁଧ୍ୟାନ ପରେ ଚାଷ କାର୍ଯ୍ୟପାଇଁ କେନାଲ ମାଧ୍ୟମରେ ଜଳ ନିଷ୍କାସିତ ହୋଇଛି ।
ପ୍ରକାଶ ଯେ, ଗତ ନଭେମ୍ବର ମାସରେ ଜଳଭଣ୍ଡାରର ବାଇପାସ ଜଳ ନିଷ୍କାସନ ପାଇଁ ଫାଟକରେ କଣା ହୋଇଯାଇଥିବା ଯୋଗୁଁ ଜଳଭଣ୍ଡାରର ଜଳ ଆପେ ଆପେ ନିଷ୍କାସିତ ହୋଇଥିଲା । ଏହି ଗର୍ତ୍ତ ବୃଦ୍ଧି ପାଇବା ସହ ଜଳଭଣ୍ଡାରରେ ଜଳ ଗଚ୍ଛିତ ସମସ୍ୟା ନେଇ ଜଳସେଚନ ବିଭାଗ ପକ୍ଷରୁ ଡେମର ସମସ୍ତ ଜଳ ମୁଖ୍ୟ ୩ ଟି ଫାଟକ ଦେଇ ନଦୀକୁ ନିଷ୍କାସିତ କରାଯାଇଥିଲା । ଏହିପରି ଗତ ଫେବୃୟାରୀ ମାସରେ ଟେଣ୍ଡର ମାଧ୍ୟମକରେ ୧ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ କରାଯାଇଥିଲା । ଗତ ମଇ ୨୦ ତାରିଖରେ କାର୍ଯ୍ୟ ଶେଷ ହୋଇଥିଲା । ଏହାପରେ ଜଳଭଣ୍ଡାରରେ ବର୍ଷା ଏବଂ ନଦୀଜଳ ଗଚ୍ଛିତ ରହିଥିବା ବର୍ତ୍ତମାନ ଜଳଭଣ୍ଡାର କ୍ଷମତାର ୫୦ ପ୍ରତିଶତ ୪୦ ଫୁଟ ଉଚ୍ଚ ଏବଂ ପ୍ରାୟ ଜଳଭଣ୍ଡାରର ୯ ହଜାର ହେକ୍ଟର ପରିଧିରେ ଗଚ୍ଛିତ ହେବା ପରେ ଖରିଫ ଚାଷ ପାଇଁ କେନାଲ ଜଳ ଛଡାଯାଇଛି । ଏହି କେନାଲ ଜଳ ଜୟପୁରର ୨ଟି ଏବଂ ବୋରିଗୁମ୍ମାର ପ୍ରାୟ ୧୦ରୁ ଉର୍ଦ୍ଧ୍ଵ ବ୍ଲକର ପ୍ରାୟ ୯୯୫୨ ହେକ୍ଟରରେ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ଆରମ୍ଭ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ବିକାଶ ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି