ଗଞ୍ଜାମ, ୧୭ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲାର ଘଟଗାଁରୁ ତାରିଣୀ ଦର୍ଶନ ସାରି ଫେରିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାରାୟଣୀ ଛକରେ ଓଲଟିଛି କାର୍ । ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ କାର୍ ରେ ଥିବା ୧୨ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଆଙ୍କୁଲି ଅଂଚଳରୁ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ କାର୍ ନଂ ଓଡି୦୭ଏନ-୭୮୯୬ ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଇଥିଲେ । ଗାଡିରେ ଡ୍ରାଇଭରକୁ ମିଶାଇ ମୋଟ୍ ୧୩ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିଲେ । ସମସ୍ତେ ଘଟଗାଁ ତାରିଣୀ ଦର୍ଶନ ସାରି ପୁରୀ ଯାଇଥିଲେ । ପୁରୀରୁ ବ୍ରହ୍ମପୁର ଫେରିବା ବେଳେ ଗୁରୁବାର ଭୋର୍ ପ୍ରାୟ ସାଢେ ୫ଟା ସମୟରେ କାର୍ ଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକ ଠାରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣକ ହେଲେ ନରସିଂହା ରେଡ୍ଡି ବୋଲି ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ