ଧର୍ମଶାଳା,୧୭ ଜୁଲାଇ (ହି.ସ.)- ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୂତି ଘଟଣା ସମଗ୍ର ଶିକ୍ଷା ଜଗତକୁ ଦୋହଲାଇ ଦେଇଛି । ଏହି ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସାରା ହୁଲସ୍ତୁଲ । ସବୁଠି ଅଶାନ୍ତିର ବାତାବରଣ । ଏହି ପ୍ରସଙ୍ଗରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ୧୨ ଘଂଟି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଏହି ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦାରେ । ଜିଲା କଂଗ୍ରେସ ଜିଲା ସଭାମହିଳା ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ମହେଶ୍ୱରପୁର ପଂଚାୟତ ବଜାରହାଟ ବ୍ରିଜ୍ଠାରୁ ସମସ୍ତ କର୍ମୀ ପଦଯାତ୍ରାରେ ଆସି ବମ୍ବେଛକ, ବଜାରହାଟ, ଚାନ୍ଦପୁର ଛକ, ବ୍ୟାଙ୍କଛକ ଦେଇ ବ୍ରହ୍ମବରଦା ପଂଚାୟତର ପୁରୁଣା ଫାଣ୍ଡିଛକ, ଚଣ୍ଡି ମନ୍ଦିର ଛକ, ମଙ୍ଗଳା ମାର୍କେଟ ଦେଇ ଶେଷରେ ତାରିଣୀ ଛକ ନିକଟରେ ପଂହଚି ଥିଲେ । ଏହି ଘଟଣାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । କଂଗ୍ରେସ କର୍ମୀମାନେ ପିକେଟିଂ କରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହ ସରକାରୀ ବେସରକାରୀ ବିଦ୍ୟାଳୟ ଓ ଘରୋଇ ବ୍ୟାଙ୍କକୁ ଶାନ୍ତି ପୂର୍ଣ୍ଣଭାବେ ବନ୍ଦ କରିଥିଲୋ । ଏହାର ପ୍ରଭାବ ଶତପ୍ରତିଶତ ପଡିଥିବା ଦେଖିବାକୁ ମିଳିଥିଲା । ଅଂଚଳରେ ଦୋକାନପତ୍ର ବନ୍ଦ ହେବା ଫଳରେ ରାସ୍ତାଘାଟ ଖାଁଖାଁ ଦେଖିବାକୁ ମିଳିଥିଲା । ସଂଗ୍ରାମ ରାଉତ, ଜଳଧର ଦାସ, ସୌଦାମିନୀ ପାଢୀ, ପୂଜା ଜେନା, ସେକ୍ ନୁରୁଲ ହକ୍, ଜ୍ୟୋସ୍ନାରାଣୀ ଜେନା, ନାରାୟଣ ଜେନା, ସେକ୍ ସହିଫ୍, ସେକ୍ ଇନ୍ତେୟାଜ ଓ ସେକ୍ କୁଦୁସ ପ୍ରମୁଖ ଏହି ବନ୍ଦ ରେ ସାମିଲ ହୋଇଥିଲେ । ବନ୍ଦ କୁ ଦୃଷ୍ଟିରେ ରଖି ବ୍ରହ୍ମବରଦା ଅଂଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ