ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ସୁଶାସନ ଅଭ୍ୟାସ ସଂପର୍କିତ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ଉପରେ ଦେଶର ବିଭିନ୍ନ ଜିଲ୍ଲାରୁ ସମ୍ମିଳନୀରେ ଯୋଗଦେଇଥିବା ଜିଲ୍ଲାପାଳମାନେ ସେମାନଙ୍କର ସଫଳତା ଉପସ୍ଥାପନ କରିଥିଲେ । ଏହା କିପରି ସଂପୃକ୍ତ ବ୍ଲକଗୁଡ଼ିକର ବିକାଶ ହେବା ସଂଗେ ସଂଗେ ଜିଲ୍ଲା ତଥା ରାଜ୍ୟର ବିକାଶରେ ସହାୟକ ହୋଉପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ ।
ସମ୍ମିଳନୀର ଏହି ଦ୍ୱିତୀୟ ଅଧିବେଶନ, ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସରିତା ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଝାଡଖଣ୍ଡ ରାଜ୍ୟ ଷଢ଼େଇକଳା- ଖରସୁଆଁ ଜିଲ୍ଲା ଗହ୍ମାରିଆ ବ୍ଲକ ସହିତ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଜିଲ୍ଲାପାଳ ରବି ଶଙ୍କର ଶୁକ୍ଳା ଉପସ୍ଥାପନ କରିଥିବା ବେଳେ କେରଳ ରାଜ୍ୟ କସରଗଡ ଜିଲ୍ଲା ପାରାପ୍ପା ବ୍ଲକର ବିକାଶ ସହିତ ଜିଲ୍ଲାର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ସଂପର୍କରେ ଜିଲ୍ଲାପାଳ ଇମ୍ବାଶେକର କାଲିମୁଥୁ, ତେଲେଙ୍ଗାନା ରାଜ୍ୟ ଆଦିଲାବାଦ ଜିଲ୍ଲା ଅନ୍ତର୍ଗତ ନାରନୁର ବ୍ଲକରେ ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ରାଜର୍ଷି ଶାହ ଏବଂ ତ୍ରିପୁରା ଗଙ୍ଗନଗର ବ୍ଲକରେ ଉଲ୍ଲେଖନୀୟ ବିକାଶ ସଂପର୍କରେ ଜିଲ୍ଲାପାଳ ବାହୀଦ୍ ଏ.ଆଲୋକପାତ କରିଥିଲେ ।
ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରେ ଗୋଷ୍ଠୀ ସମ୍ପ୍ରଦାୟ-ନେତୃତ୍ୱାଧୀନ ଏବଂ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ମାଧ୍ୟମରେ ସ୍ୱାସ୍ଥ୍ୟସେବାରେ ପରିବର୍ତନ ଅଣାଯାଇପାରିଛି । ସରକାରୀ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଭିତିଭୂମିର ସୁଦୃଢୀକରଣ ଏବଂ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ସରକାରୀ ପଦକ୍ଷେପକୁ ଲକ୍ଷ୍ୟଭିତିକ କରାଯାଇପାରିଛି । ସେହିପରି, ତ୍ରିପୁରାରେ ସ୍ଥାନୀୟ ନେତୃବୃନ୍ଦଙ୍କ ସକ୍ରିୟ ଅଂଶଗ୍ରହଣ ରାଜ୍ୟବ୍ୟାପୀ ସାମାଜିକ ବିକାଶ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟ ଏବଂ କେନ୍ଦ୍ରର ସାମଗ୍ରିକ ପ୍ରୟାସରେ ସ୍ଥାନୀୟ ବିକାଶ ପୂର୍ବକ ଦେଶର ବିକାଶ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଫଳତା ଉପସ୍ଥାପନ, ଦେଶର ଅନ୍ୟ ରାଜ୍ୟ ଓ ଜିଲ୍ଲାରୁ ଯୋଗଦେଇଥିବା ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଅଭିନବତ୍ୱର ସହ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା