ଭୁବନେଶ୍ୱର, ୧୭ ଜୁଲାଇ (ହି.ସ.)- ବିଦ୍ୟାଳୟରେ କାର୍ଯ୍ୟରତ ଥିବା ମହିଳା କର୍ମଚାରୀଙ୍କ ସୁରକ୍ଷା ସହିତ ସମସ୍ତ ପିଲାଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ଗଠନ କରିବା ଏବଂ ବିଶେଷ କରି ଅଧ୍ୟୟନରତ ଛାତ୍ରୀଙ୍କୁ ଶାରୀରିକ, ମାନସିକ ଆଦି ନିର୍ଯାତନାରୁ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଶେଷ ପଦେକ୍ଷପ ଗ୍ରହଣ କରିଛି। ଏଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ୍ସରେ ସୂଚନା ଦେଇଛନ୍ତି।
ମହିଳା କର୍ମଚାରୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୧୮୧ ରଖାଯାଇଥିବା ବେଳେ ଶିଶୁଙ୍କ ପାଇଁ ୧୦୯୮ ହେଲ୍ପ ଲାଇନ ନମ୍ବର ରଖା ଯାଇଛି। ସେହିଭଳି ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ୧୮୦୦୩୪୫୭୬୨୨ ନମ୍ବର ଜାରି ସହିତ ୧୧୨ ନମ୍ବରେ କଲ୍ କରି ପୋଲିସ ସହାୟତା ନେବା ପାଇଁ ନମ୍ବର ଜାରି ହୋଇଛି। ଏହା ସହିତ ବିଦ୍ୟାଳୟରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ବିଭାଗ ନିଷ୍ପତି ନେଇଛି।
ସମସ୍ତ ବିଦ୍ୟାଳୟରେ ମହିଳା କର୍ମଚାରୀ, ଶିଶୁ ଓ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଛି ବୋଲି ଲେଖିଛନ୍ତି ମନ୍ତ୍ରୀ।
...........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା