ବଲାଣି ଖଣିରେ ଶ୍ରମିକ ସଂଗଠନଙ୍କର ଶକ୍ତି ପ୍ରଦର୍ଶନ ଯୋଗୁଁ ଉତ୍ପାଦନ ପ୍ରଭାବିତ । ଚାରି ଘଂଟା ଧରି ଉତ୍ପାଦନ ଓ ପରିବହନ ସମ୍ପୂର୍ଣ ବନ୍ଦ
ଯୋଡ଼ା, ୨ ଜୁଲାଇ (ହି.ସ.) - ରାଷ୍ଟ୍ରାୟତ ତଥା ମହାରତ୍ନ କମ୍ପାନୀ ସେଲ ଅଧୀନସ୍ଥ ବଲାଣି ଖଣିରେ ବୁଧବାର ଦୁଇଟି ପ୍ରମୁଖ ଶ୍ରମିକ ସଂଗଠନ ମଧ୍ୟରେ ଶକ୍ତି ପ୍ରଦର୍ଶନ ଯୋଗୁଁ ଖଣି ଓ ପରିବହନ କାର୍ଯ୍ୟ ୪ ଘଂଟାଧରି ବ୍ୟାହତ ହୋଇଥିଲା । ଏହି ଅପ୍ରତ୍ୟାଶିତ ପରିସ୍ଥିତି ଫଳରେ ସେଲ୍ ର ଲକ୍ଷାଧିକ ଟଙ୍କାର କ୍ଷତି ଘଟ
ଦୁଇ ସଂଗଠନ ର ଶକ୍ତି ପ୍ରଦର୍ଶନ


ଯୋଡ଼ା, ୨ ଜୁଲାଇ (ହି.ସ.) - ରାଷ୍ଟ୍ରାୟତ ତଥା ମହାରତ୍ନ କମ୍ପାନୀ ସେଲ ଅଧୀନସ୍ଥ ବଲାଣି ଖଣିରେ ବୁଧବାର ଦୁଇଟି ପ୍ରମୁଖ ଶ୍ରମିକ ସଂଗଠନ ମଧ୍ୟରେ ଶକ୍ତି ପ୍ରଦର୍ଶନ ଯୋଗୁଁ ଖଣି ଓ ପରିବହନ କାର୍ଯ୍ୟ ୪ ଘଂଟାଧରି ବ୍ୟାହତ ହୋଇଥିଲା । ଏହି ଅପ୍ରତ୍ୟାଶିତ ପରିସ୍ଥିତି ଫଳରେ ସେଲ୍ ର ଲକ୍ଷାଧିକ ଟଙ୍କାର କ୍ଷତି ଘଟିଥିବା ନେଇ ଆଶଙ୍କା କରାଯାଉଛି ।

ସୂଚନାନୁସାରେ, ଡି-ଏରିଆ ରେ କାର୍ଯ୍ୟରତ ଏସ.ଏସ. କମ୍ପାନୀ ନାମକ ଏକ ରେଜିଂ କଂଟ୍ରାକ୍ଟରଙ୍କ ଭାରୀ ଯାନ ଚାଳକ ମଙ୍ଗଳ ମୁଣ୍ଡାଙ୍କୁ କାମରୁ ହଟାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହି ବିଷୟକୁ ନେଇ ବୁଧବାର ସକାଳ ୯ଟା ଠାରୁ ଗୋଟିଏ ଶ୍ରମିକ ସଂଗଠନ ପକ୍ଷରୁ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଧରଣାରେ ବସି ଯିବା ଫଳରେ ଖଣିର ଡି-ଏରିଆରୁ ୬୦୦ ଟିପିଏଚ କ୍ରସରକୁ ଖଣିଜ ପରିବହନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା ।

ଏହି ପ୍ରତିବାଦର ଫଳସ୍ୱରୂପ ଖଣି ଖନନ ଓ ପରିବହନ କାର୍ଯ୍ୟ ଚାରି ଘଂଟା ଧରି ଅବରୁଦ୍ଧ ରହିଥିଲା । ମଧ୍ୟାହ୍ନ ୧ଟା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା ଓ ପୁନଃ ଖଣି ଖନନ ଓ ପରିବହନ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଧରଣାରତ ଶ୍ରମିକ ସଂଗଠନଙ୍କ ଅଭିଯୋଗ ଅନୁସାରେ ଚାଳକ ମଙ୍ଗଳ ମୁଣ୍ଡା ୬୦ ବର୍ଷ ବୟସ ଅତିକ୍ରମ କରି ସାରିଛନ୍ତି ଓ ତାଙ୍କୁ ସେବା ନିବୃତ କରିବା କଥା କିନ୍ତୁ ତାଙ୍କୁ ସେବା ନିବୃତ କରାନଯାଇ କାର୍ଯ୍ୟରେ ଯୋଗ ଦେବାକୁ ସୁଯୋଗ ଦିଆଯାଉଛି ଯାହା ନିୟମ ବିରୁଦ୍ଧ ।

ଅନ୍ୟପକ୍ଷରେ କେନ୍ଦୁଝର ମାଇନିଂ ଶ୍ରମିକ ସଂଗଠନ ର ସାଧାରଣ ସମ୍ପାଦକ ଅରବିନ୍ଦ ସାହି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସରକାରୀ କାଗଜପତ୍ର ଅନୁସାରେ ଶ୍ରୀ ମୁଣ୍ଡାଙ୍କ ବୟସ ୬୦ ହୋଇନାହିଁ । ସେ ଆମ ଶ୍ରମିକ ସଂଗଠନର ଜଣେ ସକ୍ରିୟ ସଭ୍ୟ ହୋଇଥିବାରୁ ତାଙ୍କୁ ହଟାଇ ଆମ ସଂଗଠନ କୁ ଦୁର୍ବଳ କରିବା ପାଇଁ ଏହା ମାତ୍ର ଏକ ଚେଷ୍ଟା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ବିବାଦର ସମାଧାନ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ସତ୍ୱେ ଧରଣା କାହିଁକି ଓ କେଉଁ ପରିସ୍ଥିତିରେ ପ୍ରତ୍ୟାହାର କରି ନିଆଗଲା ତାହା ଏବେ ସ୍ଥାନୀୟ ଖଣି କର୍ମଚାରୀ ଓ ଠିକା କର୍ମଚାରୀଙ୍କ ମହଲରେ ଆଲୋଚନା ର ବିଷୟ ପାଲଟିଛି । ଏହା ବ୍ୟତୀତ ଭବିଷ୍ୟତରେ ଏପରି ପରିସ୍ଥିତିର କିପରି ପୁନରାବୃତି ନହେବ ସେ ନେଇ ଖଣି କର୍ତୃପକ୍ଷ ସ୍ପଷ୍ଟ ନୀତି କରିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର/ଶିବାଷିଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande