ମାଲକାନଗିରି, ୨ ଜୁଲାଇ (ହି.ସ.) - ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ କତାମାଟେରୁ ଗ୍ରାମରେ ଗତ ଜୁନ ୨୧ ତାରିଖ ସନ୍ଧ୍ୟାରେ କୌଣସି ଏକ କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୭ଜଣ ଗୁରୁତର ଓ ୩୦ ଜଣ ଆହତ ହୋଇଥିଲେ। ତେବେ ଏହି ଆହତଙ୍କ ମଧ୍ୟରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ରହିଥିବା ବେଳେ ଏହାକୁ ନେଇ ଜିଲ୍ଲା ଖ୍ରୀଷ୍ଟିୟାନ ମଂଚ ପକ୍ଷରୁ ମାଲକାନଗିରି ଥାନାରେ ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଆଜି ଏକ ବିଶାଳ ଶୋଭାଯାତ୍ରାରେ ଯାଇ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଜିଲ୍ଲା ଖ୍ରୀଷ୍ଟିୟାନ ମଂଚ। ଆକ୍ରୋଶ ମୂଳକ ଭାବେ ମାଡ ମାରିବା ଓ ପରେ ଏନେଇ ଏତଲା ଦେଇ ମଧ୍ୟ କୌଣସି ସୁଫଳ ପାଇ ନଥିବା ଅଭିଯୋଗ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ଗର୍ଜି ଛନ୍ତି ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିୟାନ ମଂଚ। ଆଜି ଶହ ଶହ ସଂଖ୍ୟାରେ ଖ୍ରୀଷ୍ଟିୟାନ ମଂଚର ସଦସ୍ୟ ଓ କର୍ମକର୍ତା ଜିଲ୍ଲା ସଦର ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଦାବି ପତ୍ର ଦେଇ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନେକ ସମୟ ଧରି ଅପେକ୍ଷା ପରେ ଜିଲ୍ଲାପାଳ ଆସି ନଥିବାରୁ କିଛି ସମୟ ପାଇଁ ଉତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ପୋଲିସ ଲୋକଙ୍କୁ ବୁଝା ସୁଝା କରାଇ ଜିଲ୍ଲାପାଳଙ୍କ ନିକଟକୁ ଛାଡି ଥିଲା। ଏହାପରେ ଜିଲ୍ଲା ଖ୍ରୀଷ୍ଟିୟାନ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯାଇଛି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା କତାମାଟେରୁ ଗ୍ରାମରେ ଗତ ୨୧ ତାରିଖରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର କିଛି ଲୋକେ ନିଜର କୌଣସି ଏକ କାର୍ଯ୍ୟରେ ଯାଇଥିବା ବେଳେ ସେଠାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ତେବେ ଘଟଣାକୁ ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ବିନୋଦ ପାଟିଲ ଏଚ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ପୁଲିସ ସଦଳ ବଳ ପହଁଚି ଲୋକଙ୍କୁ ବୁଝା ସୁଝା ସହ ପତିସ୍ଥିତିକୁ ଆୟତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପଟେ ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇ ସମସ୍ତଙ୍କ ଚିକିତ୍ସା କରଯାଇଥିବା ବେଳେ ଜିଲ୍ଲା ଖ୍ରୀଷ୍ଟିୟାନ ମଂଚ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରଯାଇଥିଲା। ଏହା ସହ ଏନେଇ ମାଲକାନଗରି ଏସପି ଓ କୋରାପୁଟ ଡିଆଇଜିଙ୍କୁ ମଧ୍ୟ ମଂଚ ପକ୍ଷରୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ବର୍ତମାନ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ। ଯାହାକୁ ନେଇ ମଂଚ ପକ୍ଷରୁ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରାଯାଇଛି। ତେବେ ଆଜି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେପ୍ରତିଶ୍ରୁତି ପୂରଣ ନହେଲେ ମଂଚ ପକ୍ଷରୁ ଆଗାମୀ ଦିନରେ ବିକ୍ଷୋଭକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଶୋଭାଯାତ୍ରାରେ ଖ୍ରୀଷ୍ଟିୟାନ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ପଲ୍ଲବ କୁମାର ଲିମା, ଭଏସ ଏଗେନେଷ୍ଟ ଷ୍ଟେଟର ରାଜ୍ୟ ସଭାପତି ମାନସ ଚୌଧୁରୀ, ଅମିୟ ପାଣ୍ଡବ, ଜିଲ୍ଲା ଖ୍ରୀଷ୍ଟିୟାନ ମଂଚର ସଭାପତି ଓ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ