କେନ୍ଦୁଝର, ୨ ଜୁଲାଇ (ହି.ସ.) - ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନ ଟିଏ କାର?୍ୟ୍ୟକ୍ରମ ମଙ୍ଗଳବାର ଦିନ ଦରବାର ହଲଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ଶିଶୁ ମାନଙ୍କ ବିକାଶ ଓ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ୪ଟି କମିଟି ଯଥା ଶିଶୁ ସୁରକ୍ଷା କମିଟି, କିଶୋର ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଓ ଚାଇଲଡ ହେଲ୍ପଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦିନ ବହୁ ଗୁରୁତ୍ୱପୂର୍ଣ ବିଷୟ ଗୁଡିକରେ ଆଲୋଚନା କରାଯାଇଥିଲା। ପିତୃମାତୃ ହୀନ ଶିଶୁମାନଙ୍କୁ ସଠିକ ଭାବେ ଚିହ୍ନଟ କରାଯାଇ ସେମାନଙ୍କୁ କିପରି ସହାୟତା ପ୍ରଦାନ କରାଯାଇପାରିବ ସେସମ୍ପର୍କିତ ଆଲୋଚନା କରାଯାଇଥିଲା। କିଶୋରୀ ଗର୍ଭଧାରଣା ରୋକିବା, ଶିଶୁ ଶ୍ରମ ମୁକ୍ତ କରିବା ଏବଂ ପ୍ରତ୍ୟେକ ବିଭାଗରେ ଥିବା ଶିଶୁ ମାନଙ୍କ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ବିଭାଗ ମଧ୍ୟରେ ଉତମ ସମ୍ପର୍କ ଓ ସମନ୍ୱୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ଲକ, ପଂଚାୟତ ଓ ଗ୍ରାମ ସ୍ତରରେ ସମସ୍ତେ ସହଯୋଗ କରିବେ ବୋଲି ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିଭୂତିଭୂଷଣ ଦାଶ, ସହକାରୀ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ବସନ୍ତ ପାତ୍ର, ଜିଲ୍ଲା ନିୟୋଜନ ଅଧିକାରୀ ଗଣେଶ୍ୱର ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଭାରତୀ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକ, ସୁରକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ଜେନା ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶକ୍ତି ସଦନର କର୍ମକର୍ତା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA