ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ହାଟପଡିଆସ୍ଥିତ ମାଉସୀମା ମନ୍ଦିରରେ ଦର୍ଶନ ଲାଗି ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହୁଛି । ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ତିନି ଠାକୁର ଶ୍ରୀ ଗୁଣ୍ଡିଚା ଦିନ ରଥାରୁଡ ହୋଇ ମାଉସୀମା ମନ୍ଦିରକୁ ନଅ ଦିନ ପାଇଁ ଆସିଛନ୍ତି । ମାଉସୀମା ମନ୍ଦିରରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଉଛନ୍ତି । ଅଜି ପୁର୍ବହ୍ନରେ ମାଉସୀ ମା ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ଦାଶକାଠିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଠାକୁର ହାଟପଡିଆସ୍ଥିତ ମାଉସୀମା ମନ୍ଦିର ରେ ରହୁଥିବା ବେଳେ ଏଠାକାର ପରିବେଶ ଏବେ ଭକ୍ତିମୟ ହୋଇପଡିଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ମୁନସୀ ମେଲଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ଚିତ ବିନୋଦନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରା୍ଯାଉଛି । ଧର୍ମଶାଳା ହାଟପଡିଆସ୍ଥିତ ମାଉସୀମା ମନ୍ଦିର ପରିସରରେ ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦିଷ୍ଟ ମଂଚରେ ଗତକାଲି ସନ୍ଧ୍ୟାରେ ଜାରକା ମୟୁରୀ ଡ୍ୟାନ୍ସ ଗୃପ କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ବେଳେ ଆଜି ସନ୍ଧ୍ୟାରେ ଧାନମଣ୍ଡଳ ଉଦୟମାନ କଳାପରିଷଦ କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଯାହାକୁ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁନସୀ ମେଲଣ କମିଟିର ସଭାପତି ତଥା ଥାନା ଅଧିକାରୀ ରଞ୍ଜନ କୁମାର ମାଝି, ସମ୍ପାଦକ ପ୍ରମୋଦ କୁମାର ଦାସ,ଭାଲୁଖାଇ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି କଳ୍ପତରୁ ସାହୁ, ସମ୍ପାଦକ ମନୋଜ ରଣା, ମୁନସୀ ମେଲଣ କମିତିର ସଦସ୍ୟ ଗଗନ ବରାଳ,ବିଚିତ୍ର ସ୍ୱାଇଁ,ମନୋଜ ରାଉଳ,ଚନ୍ଦ୍ରମଣି ପଣ୍ଡିତ, ଶରତ ଓଝାସ,ପ୍ରବୋଧ ପାତ୍ର, ଅମୀୟ ମହାନ୍ତି ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ