ପୁରୀ, 2 ଜୁଲାଇ (ହି.ସ.)-ଶରଧାବାଲିରେ ଭକ୍ତଙ୍କ ଶ୍ରଦ୍ଧା ବଢୁଛି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରି ଭକ୍ତ ଆନନ୍ଦିତ । କାଳିଆ ସୁନାକୁ ଦେଖିଲେ ଭକ୍ତ ହେଉଛି ଆନମନା । ଭକ୍ତ ଓ ଭଗବାନଙ୍କ ମହାମିଳନ ଶରଧାବାଲିରେ । ଏହି ଭଳି ଜଣେ ଭକ୍ତ କୋଲକାତା ବାଲୁରଘାଟ ର ରୂପ ଶାହା ଶ୍ରୀକୃଷ୍ଣ ବେଶଧରି ସ୍ଥିର ଭାବେ ଦଣ୍ଡାୟମାନ ହୋଇଛନ୍ତି ଶରଧାବାଲିରେ । ଅବିକଳ ଶ୍ରୀକୃଷ୍ଣଙ୍କ ପରି ବେଶଭୂଷା । ମୁଣ୍ଡରେ ପିନ୍ଧିଛନ୍ତି ଆକର୍ଷଣୀୟ ମୁକଟ । ଶ୍ରୀକୃଷ୍ଣ ପରି ବଂଶୀ ଧରିଛନ୍ତି । ସ୍ମିତ ହାସ୍ଯ ବେଶ ଆକର୍ଷଣୀୟ ଲାଗୁଛି । ରଙ୍ଗ ଅଧରକୁ ବାଙ୍କ ଚାହାଁଣୀ ଶ୍ରଦ୍ଧାଳୁଙ୍କ ମନ ନେଉଛି କିଣି । ଯେଉଁ ଭକ୍ତ ନତମସ୍ତକ ହୋଇ ମୁଣ୍ଡିଆ ମାରୁଛନ୍ତି ତାଙ୍କୁ ଆଶୀର୍ବାଦ କରୁଛନ୍ତି । ଗୋଟିଏ ସ୍ଥାନରେ ଷ୍ଟାଚ୍ୟୁ ଭଳି ଠିଆ ହୋଇଛନ୍ତି । ଗୋଡ ଛନ୍ଦା ସହ ବେଶ ଓ କମରପଟି ବେଶ ଶୋଭାପାଉଛି । ସେଠାରେ ଶ୍ରଦ୍ଧାଳୁ ମାନେ ଫଟୋ ଉଠାଇବା ସହ ସେଲଫି ନେଉଛନ୍ତି । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ