କେନ୍ଦୁଝର, ୨୪ ଜୁଲାଇ (ହି.ସ.)-
କେନ୍ଦୁଝରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଧରଣୀଧର ବିଶ୍ୱବିଦ୍ୟାଳୟରେ ଜୁଲାଇ ୨୪ ତାରିଖ ଠାରୁ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବାକୁ ଯାଉଛି ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ମେଳନ ଓ ଆଲୋଚନାଚକ୍ରର ଶୃଙ୍ଖଳା । ଆଜି ଇଂରାଜୀ ବିଭାଗ ଦ୍ଵାରା ଆଲୋଚିତ ବିଷୟ ଥିଲା Biographies: Histories, Narratives, Subjects. ଆଜି ଇଂରାଜୀ ବିଭାଗର ଉଦ୍ଘାଟନ ଉତ୍ସବରେ ଯୋଗଦେଇଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ, ବାଣୀବିହାରର ପ୍ରଫେସର ଯତୀନ କୁମାର ନାୟକ ଏବଂ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼କ୍ଟର ଶାଶ୍ଵତ ପଣ୍ଡା । ଆଜି ତିନୋଟି ଅଧିବେଶନ ହୋଇଥିଲା ଏବଂ ଆଲୋଚନାଚକ୍ରରେ ପନ୍ଦର ଜଣ ଗବେଷକଙ୍କ ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ପ୍ରକାଶ ଥାଉକି, ଶୃଙ୍ଖଳା ଦୀର୍ଘ ଏକମାସ ଧରି ଚାଲିବ । ଏହି ଶୃଙ୍ଖଳାରେ ଦେଶ ବିଦେଶରୁ ଶହେ ଜଣରୁ ଅଧିକ ବିଷୟ ବିଶାରଦ ମାନେ ଯୋଗଦେଇ ସେମାନଙ୍କର ତାତ୍ୱିକ ଅଭିଭାଷଣ ପ୍ରଦାନ କରିବାର କାର୍ଯକ୍ରମ ସ୍ଥିର ହୋଇଛି। ଏଥିସହିତ ଏହି ଆଲୋଚନାଚକ୍ର ମାନଙ୍କରେ ଦୁଇଶହରୁ ଅଧିକ ଗବେଷକ ସେମାନଙ୍କର ପ୍ରବନ୍ଧ ପାଠ କରିବେ ଏବଂ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଶୃଙ୍ଖଳାରେ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି।
ଏହି ସମ୍ମେଳନ ଓ ଆଲୋଚନାଚକ୍ର ଦ୍ୱାରା ବିଶ୍ଵବିଦ୍ୟାଳୟର ଗବେଷଣା କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇପାରିବ ବୋଲି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA