ସବୁ ବିଭାଗର ସମ୍ମିଳିତ ଉଦ୍ୟମରେ ଶିଶୁ ସୁରକ୍ଷା ଓ ଯତ୍ନକୁ ଗୁରୁତ୍ୱ
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) - ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ତଥା ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଶୁ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ରହିଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା, କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା, ଅନୁଷ୍ଠାନ, ସୂଚନା ଶିକ୍ଷା ଓ ଯୋଗାଯୋଗ ବ୍ୟବସ୍ଥା ଏବଂ ସମର୍ଥନ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଓଡିଶାରେ କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥାଗତ ବ୍ୟବସ୍ଥା ବିଷୟରେ ବିଶଦ୍ ଉପସ୍ଥାପନ କରିଥିଲେ।
କେନ୍ଦ୍ରସ୍ତରୀୟ ମିଶନ ବାତ୍ସଲ୍ୟ ଅନୁମୋଦନ ପରିଷଦ ଓ ମିଶନ ବାତ୍ସଲ୍ୟ କେନ୍ଦ୍ରୀୟ ପ୍ରକଳ୍ପ ତଦାରଖ ୟୁନିଟ୍, ରାଜ୍ୟ ସ୍ତରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ରାଜ୍ୟ ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥା(ସାରା), ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସ୍ତରୀୟ ତଦାରଖ କମିଟି, ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ଓ ପଂଚାୟତ ସ୍ତରରେ ତ୍ରିସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ଆଦି କାର୍ଯ୍ୟ କରୁଛି। ରାଜ୍ୟରେ ୩୦ଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ( ଡିସିପିୟୁ), ୩୧ଟି ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି), ୩୪ଟି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ୩୬ଟି ସ୍ୱତନ୍ତ୍ର ଜୁଭେନାଇଲ ପୁଲିସ୍ ୟୁନିଟ୍ , ୨୨୦ ଟି ଶିଶୁ ଯତ୍ନ ଅନୁଷ୍ଠାନ(ସିସିଆଇ) କାର୍ଯ୍ୟ କରୁଛି । ରାଜ୍ୟରେ ୮୧୫୦ ଶିଶୁମାନଙ୍କୁ ସଂସ୍ଥାଗତ ବ୍ୟବସ୍ଥାରେ ଏବଂ ୬୩୧୭ ଶିଶୁଙ୍କୁ ଅଣ ସଂସ୍ଥାଗତ ବ୍ୟବସ୍ଥାରେ ଯତ୍ନ ନିଆଯାଉଛି ।
ଜନସଚେତନତା, ବ୍ୟବସ୍ଥାରେ ଉନ୍ନତି ଏବଂ ସଂସ୍ଥାଗତ ସୁଦୃଢୀକରଣ ପାଇଁ ବିଗତ ୩ ବର୍ଷ ମଧ୍ୟରେ ଦେଶ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି । ପ୍ରତ୍ୟେକ ବର୍ଷ ପୁଅ ଅପେକ୍ଷା ଝିଅ ପୋଷ୍ୟ ସନ୍ତାନ ସଂଖ୍ୟା ବଢୁଛି । ୧୬୦ ଟି ଶିଶୁ ଗୃହ, ୩୩ଟି ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା, ୧୨ଟି ମୁକ୍ତ ଆଶ୍ରୟ ଗୃହ, ୭ ଟି ପର୍ଯ୍ୟବେକ୍ଷଣ ଗୃହ ଓ ୭ଟି ସ୍ୱତନ୍ତ୍ର ଗୃହ ବ୍ୟବସ୍ଥା ରହିଛି।
ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୮୧୫୦ ଶିଶୁମାନଙ୍କ ମଧ୍ୟରୁ ୯୮ ପ୍ରତିଶତ ଶିଶୁଙ୍କର ଆଧାର ପଞ୍ଜୀକରଣ ହୋଇପାରିଛି , ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ୬୭୨ ପିଲାମାନେ ବୈଷୟିକ ଶିକ୍ଷାରେ ନାମ ଲେଖାଇଛନ୍ତି । ୨୬୪ଟି ବିଭିନ୍ନ ପ୍ରଶିକ୍ଷଣରେ ୮୧୩୦ ଜଣ ତାଲିମ୍ ନେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ୨୧୧ ଜଣ ନିଯୁକ୍ତି ପାଇଥିବା ବେଳେ ୭୯ ଜଣ ଆତ୍ମ ନିଯୁକ୍ତି ପାଇପାରିଛନ୍ତି। ଅନୁଷ୍ଠାନ ଛାଡୁଥିବା ପିଲାମାନଙ୍କୁ ବିବାହକାଳୀନ ସହାୟତା ପ୍ରଦାନ କରାଯାଉଛି। ୪୧ଟି ଶିଶୁ ସହାୟତା ୟନିଟ୍ /ହେଲ୍ପ ଡେକ୍ସ ଓ ରାଜ୍ୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରୁଛି । ହିତାଧିକାରୀ ପିଲାମାନମାନଙ୍କୁ ଆଶୀର୍ବାଦ ଯୋଜନା ଅଧିନରେ ଆର୍ôଥକ ସହାୟତା ଦିଆଯାଉଛି। ପାରିବାରଭିତିକ ଯତ୍ନକୁ ସୁଦୃଢ କରିବା ନିମନ୍ତେ ପୋଷ୍ୟ ସନ୍ତାନ ଗ୍ରହଣ ରଣନୀତି ପ୍ରସ୍ତୁତ କରାଯିବା ଉଦ୍ଦେଶ୍ୟରେ ଗତ ମଇ ମାସରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଆଘାତପ୍ରାପ୍ତ ଶିଶୁମାନଙ୍କୁ ମାନସିକ ଚିକିତ୍ସା ଓ ଯତ୍ନ, ଇ-ଶିକ୍ଷା ସାହାଯ୍ୟରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥା, ବାଳ ଅପରାଧ ମାମଲାର ଶୁଣାଣି ପାଇଁ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା , ଆଶୀର୍ବାଦ ଯୋଜନା ଅଧିନରେ ଶିକ୍ଷା ଜାରି ରଖିବା ପାଇଁ ଶିଶୁମାନଙ୍କୁ ମାସିକ ଆର୍ôଥକ ସହାୟତା, କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ଶିଶୁମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ଯଥାକ୍ରମେ ରାଜ୍ୟସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ , ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକରେ ଯୋଗାଭ୍ୟାସ ଆଦି ଉତ୍ତମ ବ୍ୟବସ୍ଥା ରହିଥିବା ସଂପର୍କରେ ଆଲୋଚନାକରାଯାଇଥିଲା । ଆହୁରି ମଧ୍ୟ ବିଶ୍ୱ ଦକ୍ଷତା କେନ୍ଦ୍ରର ପରିଦର୍ଶନ ବ୍ୟବସ୍ଥା ଓ ପିଲାମାନଙ୍କ ପାଇଁ ପ୍ରଶିକ୍ଷଣର ସୁଯୋଗ ପ୍ରଦାନ କରିବା ସହ ପର୍ଯ୍ୟବେକ୍ଷଣ ଗୃହରେ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି । ଶିଶୁ ସୁରକ୍ଷା ସଂପର୍କିତ ସହାୟତା ଓ ଅଭିଯୋଗର ତ୍ୱରିତ ବ୍ୟବସ୍ଥା ପାଇଁ ଚାଇଲ୍ ହେଲ୍ପଲାଇନ୍ (୧୦୯୮), ମହିଳା ହେଲ୍ପ ଲାଇନ୍ (୧୮୧) ଏବଂ ଜରୁରୀ କାଳୀନ ସହାୟତା (୧୧୨)କୁ ସମନ୍ୱିତ କରାଯାଇଛି ।
ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶିଶୁ କଲ୍ୟାଣ କମିଟିର ସହଭାଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଇଲ୍ଡ୍ ହେଲ୍ୱଲାଇନ୍-୧୦୯୮, ସଫଳତାର ସହ କାର୍ଯ୍ୟକାରୀ କରାଯାଉଥିବା ସମ୍ପର୍କରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ତଥ୍ୟ ଉପସ୍ଥାପନ କରିଥିଲେ । ଯଶୋଦା ଯୋଜନା ଅଧିନରେ ପ୍ରତି ୪ ବର୍ଷରେ ଥରେ ଅର୍ଫାନ ସର୍ବେଷଣ କରାଯାଉଛି । ଆମରି ଶିଶୁ ପୋର୍ଟାଲ କାର୍ଯ୍ୟକାରୀ କରି ଶିଶୁ ପୋଷଣ ଓ ସୁରକ୍ଷା ସହ ଜଡ଼ିତ ସମସ୍ତ ତଥ୍ୟକୁ ଅଦ୍ୟତନ କରାଯାଉଛି । ଅଦ୍ୟାବଧି ୫୧ ହଜାରରୁ ଊର୍ଦ୍ଧ୍ୱ ଶିଶୁମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତଭୁକ୍ତ କରାଯାଇ ବିଭିନ୍ନ ପ୍ରକାର ସୁବିଧା ଓ ସହାୟତା ପ୍ରଦାନ କରାଯାଉଥିବା ସଂପର୍କରେ ବିଭାଗୀୟ ପ୍ରମଖ ଶାସନ ସଚିବ ଶ୍ରୀମତୀ ଶର୍ମା ପ୍ରକାଶ କରିଥିଲେ । ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଶିଶୁ ସହାୟତା କେନ୍ଦ୍ର ଖୋଲାଯିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସବୁ ବିଭାଗର ମିଳିତ ପ୍ରୟାସରେ ଶିଶୁ ସୁରକ୍ଷା ଓ ଯତ୍ନର ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଗୁରୁତ୍ୱ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ସହିତ, ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, ପଂଚାୟତିରାଜ, ଗୃହ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଦି ସଂପୃକ୍ତ ବିଭାଗମାନେ ଏ ଦିଗରେ ସମ୍ମିଳିତ ପ୍ରୟାସ ଓ ସହଯୋଗ କରି ଶିଶୁ ସୁରକ୍ଷା ଓ ଯତ୍ନ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଜିଲ୍ଲାସ୍ତରୀୟ ତଦାରଖ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା, ଶିଶୁ ସୁରକ୍ଷା ଭଳି ପ୍ରସଙ୍ଗରେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ଶିଶୁ ସୁରକ୍ଷା ଅନୁଷ୍ଠାନ ମାନେ ଅଧିକ ତତ୍ପରତା ଓ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ପ୍ରକାଶ କରିଥିଲେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କୁ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ବୈଠକରେ ସମ୍ପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା