ଭୁବନେଶ୍ୱର, ୨୪ ଜୁଲାଇ (ହି.ସ.) -ବର୍ତମାନ ଜଳବାୟୁ ପରିବର୍ତନ ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ରୂପେ ଦେଖା ଦେଇଛି। ଦିନକୁ ଦିନ ମୌସୁମୀ ବର୍ଷାର ଅବଧିଓ ତାହାର ପରିମାଣରେ ଅନିଶ୍ଚିତତା ମାନବ ସମାଜ ପାଇଁ ଜଳ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଛି। ଉଦବୃତଜଳ ସମ୍ପନ୍ନ ନଦୀ ଅବବାହିକାଗୁଡିକୁ ଜଳକ୍ଲିଷ୍ଟ ନଦୀ ଅବବାହିକା ସହିତ ସଂଯୁକ୍ତକରି ପ୍ରଭାବୀ ଜଳ ବଂଟନ ପ୍ରଣାଳୀକୁ ସୁନିଶ୍ଚିତ କରିବା ନିମନ୍ତେ “ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ” ନାମରେ ଏକ ନୂତନ ଯୋଜନାକୁ ରାଜ୍ୟ ସରକାର ରୂପାୟନ କରିବାକୁ ଯାଉଛନ୍ତି।
ଏହି ଯୋଜନାର ମୂଳ ଲକ୍ଷ୍ୟ ଗୁଡିକ ହେଲା;ଉପଲବ୍ଧ ଭିତିଭୂମିର ଉପଯୋଗ ଓ ଜୀବନ ଜୀବିକାର ସର୍ବନିମ୍ନ ବିସ୍ଥାପନକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଭୂତଳ ପାଇପ ଲାଇନ ଏବଂ ନଦୀ ପରିକ୍ରମା ମାର୍ଗକୁ ପ୍ରାଧାନ୍ୟ ଦେଇ ଜଳ ପରିଚାଳନାରେ ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିବା, ସ୍ଥାନୀୟ ଅଂଚଳର ଅର୍ଥନୈତିକ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ କୁ ପ୍ରାଧାନ୍ୟ ଦେବା, ପ୍ରାୟ ୧୫୦ଟି ଜଳାଶୟକୁ ପୁନର୍ଜ୍ଜୀବିତ କରାଯାଇ ଅତିରିକ୍ତ ଜଳଧାରଣ କ୍ଷମତା ସୃଷ୍ଟି କରାଯିବା ସଙ୍ଗେ ସଙ୍ଗେ ଜଳକ୍ଲିଷ୍ଟ ଅଂଚଳରେ ମରୁଡିପ୍ରବଣତାକୁ ହ୍ରାସ କରିବା, ବନ୍ୟା ସମୟରେ ଜଳବନ୍ଦୀ ହେଉଥିବା ଅଂଚଳରୁ ଜଳ ନିଷ୍କାସନ କରି ଉଦବୃତ ଜଳକୁ ସଂରକ୍ଷଣ କରିବା, ଉପଲବ୍ଧ ଜଳସେଚିତ ଜମିଗୁଡିକୁ ନିରାପତା ଓ ସ୍ଥାୟିତ୍ୱ ପ୍ରଦାନ କରିବା ସହ ଅତିରିକ୍ତ ସେଚ ସାମର୍ଥ୍ୟ ସୃଷ୍ଟି କରିବା, ଅଗ୍ରାଧିକାରଭିତିରେ ସହରାଂଚଳ ଓ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଏବଂ ରିଅଲ ଟାଇମ ମନିଟରିଂ ସିଷ୍ଟମ୍ ଦ୍ୱାରା ଜଳ ସଂପଦର ତଦାରଖ ଓ ସୁପରିଚାଳନା କରାଯିବା ଫଳରେ ଅନିର୍ଦ୍ଦିଷ୍ଟ ମୌସୁମୀ ଓ ଅନିଶ୍ଚିତ ବୃଷ୍ଟିପାତର ବିପର୍ଯ୍ୟୟକୁ ମୁକାବିଲା କରି ପରିବେଶରେ ସ୍ଥିରତା ଆଣିବା।
ଏଥିପାଇଁ ପ୍ରାରମ୍ଭିକ ଭାବରେ ୨୦୨୫-୨୬ ରୁ ୨୦୨୯ଆର୍ôଥକ ବର୍ଷ ମଧ୍ୟରେ ୬ଟି ପଥଦର୍ଶୀ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେଉଅଛି।
ଏହିସବୁ ପ୍ରକଳ୍ପ ସବୁ ମଧ୍ୟରେ ରହିଛି-(୧)- କାତରା ସୁବର୍ଣ୍ଣରେଖା ମୁଖ୍ୟ କେନାଲ ସଂଯୋଗୀକରଣ ପ୍ରକଳ୍ପ- ଏହି ପ୍ରକଳ୍ପ ଦ୍ୱାରା କାତରା ନଦୀରେ ପ୍ରସ୍ତାବିତ କଂଶପାଳ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପରୁ ଏକ ଫିଡର ଚାନେଲ ମାଧ୍ୟମରେ ଜଳ ପ୍ରବାହ ଦ୍ୱାରା ସୁବର୍ଣରେଖା ମୁଖ୍ୟ କେନାଲର ଆୟକଟ ଅଞ୍ଚଳରେ ଜଳସେଚନ ସୁନିଶ୍ଚିତ କରାଯାଇପାରିବ ।(୨) ହିରାଧରବାଟି ବ୍ୟାରେଜ – ଚିଲିକା ହ୍ରଦ ସଂଯୋଗୀକରଣ ପ୍ରକଳ୍ପ -ହିରାଧରବାଟି ବ୍ୟାରେଜଠାରୁ ବନ୍ୟାଜଳ ପ୍ରବାହିକା ଚାନେଲ ମାଧ୍ୟମରେ ଅସଂରକ୍ଷିତ ବନ୍ୟାଜଳକୁପଥ ମଧ୍ୟସ୍ଥ ପ୍ରାୟ ୩୫ଗୋଟି ଜଳାଶୟ ପୁନଃଭରଣ କରି ଚିଲିକା ହ୍ରଦ ମଧ୍ୟକୁ ପୁନଃପ୍ରବାହିତ କରାଯିବା ଦ୍ୱାରା ଜଳବନ୍ଦୀ ସମସ୍ୟାର ସମାଧାନ ସହିତ ଜଳ ସଂରକ୍ଷଣ କରାଯାଇ ପାରିବ। (୩) ବାହୁଦା – ଋଷିକୁଲ୍ୟା ଅବବାହିକା ସଂଯୋଗୀକରଣ ପ୍ରକଳ୍ପ : ବାହୁଦା ଠାରୁ ଋଷିକୁଲ୍ୟା ନଦୀଅବବାହିକା ସଂଯୋଗକାରୀ ପ୍ରଣାଳୀ ଦ୍ୱାରା କେଳୁଆପାଳି ଜଳାଶୟକୁ ପୁନଃ ଭରଣ କରିବା ସହିତ ବ୍ରହ୍ମପୁର ସହରାଞ୍ଚଳ ଓ ଗୋପାଳପୁର ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (ଏସ୍ଇଜେଡ୍) ଅଞ୍ଚଳକୁ ଜଳ ଯୋଗାଣ (୫) ବଂଶଧାରା – ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ :ଏହି ଅନ୍ତଃ ନଦୀ ସଂଯୋଜକ ମାଧ୍ୟମରେ ନନ୍ଦିନୀ ନାଳର ଜଳକୁ ପାର୍ଶ୍ୱବର୍ତ୍ତୀ ବ୍ରହ୍ମପୁର ସହରର ଜଳକ୍ଲୀଷ୍ଟ ଅଞ୍ଚଳରେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ ।( ୫) ଅଙ୍ଗ – ସୁକତେଲ ଗାର୍ଲାଣ୍ଡ ପ୍ରକଳ୍ପ : ଏହି ସଂଯୋଗୀକରଣ ପ୍ରଣାଳୀ ମାଧ୍ୟମରେ ୧୦୮ଗୋଟି ଜଳାଶୟକୁ ପୁନର୍ଜ୍ଜୀବିତ କରାଯାଇ ପ୍ରାୟ ୧୦, ୦୦୦ ହେକ୍ଟର ଜମିରେ ଜଳସେଚନର ସୁବିଧା ଉପଲବ୍ଧ କରାଯାଇ ପାରିବ। (୬) ତେଲେଙ୍ଗିରି – ଅପରକୋଲାବ ସଂଯୋଗୀକରଣ ପ୍ରକଳ୍ପ : ଉଭୟ ଜଳ ଭଣ୍ଡାରର ସଂଯୋଗ କରା ଯାଇ ଜଳଭଣ୍ଡାର ଦ୍ୱୟର ଜଳ ପରିସୀମା ସଂପ୍ରସାରଣ କରାଯିବା ସହିତ ଅଧିକ ସେଚ ସାମର୍ଥ୍ୟ ସୃଷ୍ଟି ଏବଂ ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟ ମାଧ୍ୟମରେ ଜଳ ବିଦ୍ୟୁତ ଉତ୍ପାଦନ କରାଯିବ।
ସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀ ଓଡିଶାରାଜ୍ୟ ଜଳନୀତି ଆଧାରରେ ପରିଚାଳିତ ହେବ । ବାସ୍ତବରେ ଏହା ଓଡିଶା ସରକାରଙ୍କ ସର୍ବଜନ ସମନ୍ୱିତ “ ବହୁଜନ ହିତାୟ, ବହୁଜନ ସୁଖାୟ” ନୀତି ପ୍ରତି ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। ଓଡିଶା ସରକାରଙ୍କ ଅନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ପଦକ୍ଷେପ କେବଳ ଏକ ଜଳ- ସ୍ଥାନାନ୍ତର ଯୋଜନା ନୁହେଁ; ବରଂ ଭୌଗୋଳିକ ସ୍ଥିତି ଓ ବୃଷ୍ଟିପାତଜନିତ ଅନିୟମିତତା ଦ୍ୱାରା କେଉଁ କାଳରୁ ମୂଳ ସଭ୍ୟତାର ବିକାଶଧାରାରୁ ବିଚ୍ଛିନ୍ନ ହୋଇରହିଥିବା ସୁବିଧାରୁ ବଂଚିତ ହେଉଥିବା ବିଭିନ୍ନ ଅଞ୍ଚଳବାସୀଙ୍କ ପାଇଁ ଏହା ନୂତନ ଆଶା ଓ ସୁଯୋଗର ନବ ସୂର୍ଯ୍ୟୋଦୟ ଦେଖିବ କହିଲେଅତ୍ୟୁକ୍ତି ହେବ ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା