ବିଜୁଳି ସମସ୍ୟା ଉପରେ ଓଇଆରସିର ପବ୍ଲିକ ନୋଟିସ୍‌କୁ ସ୍ୱାଗତ ବିପୁଳ ସଂଖ୍ୟାରେ ଜନସାଧାରଣ ଅଭିଯୋଗ ଦାଖଲ କରିବାକୁ ଉପଭୋକ୍ତା ମହାସଂଘର ନିବେଦନ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ.) – ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଏକ ବୈଠକ ମହାସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ମହାସଂଘର ସମ୍ପାଦକ ଓଇଆରସିିର ବିଜୁଳି ସମସ୍ୟା ନେଇ ଜାରି ହୋଇଥିବା ପବ୍ଲିକ ନୋଟ
ବିଜୁଳି ସମସ୍ୟା ଉପରେ ଓଇଆରସିର ପବ୍ଲିକ ନୋଟିସ୍‌କୁ ସ୍ୱାଗତ  ବିପୁଳ ସଂଖ୍ୟାରେ ଜନସାଧାରଣ ଅଭିଯୋଗ ଦାଖଲ କରିବାକୁ ଉପଭୋକ୍ତା ମହାସଂଘର ନିବେଦନ


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ.) – ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଏକ ବୈଠକ ମହାସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ମହାସଂଘର ସମ୍ପାଦକ ଓଇଆରସିିର ବିଜୁଳି ସମସ୍ୟା ନେଇ ଜାରି ହୋଇଥିବା ପବ୍ଲିକ ନୋଟିସ୍‌କୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସହିତ ଓଇଆରସିର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଓ ବର୍ତମାନର ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଓଇଆରସିର ୩୦ ବର୍ଷର ଇତିହାସରେ ବିଜୁଳି ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆହ୍ୱାନ କରିବା ଏକ ଅଭିନବ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ବିଜୁଳି ସମସ୍ୟା ଉପରେ ବ୍ୟାପକ ଭାବରେ ଅଗଷ୍ଟ ୧୬ ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ରାଜ୍ୟର ସବୁ ରାଜନୈତିକ ଦଳ, ମହିଳା ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଓ ଛାତ୍ର ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଓ ସର୍ବୋପରି ନାଗରିକ ସମାଜକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ନିବେଦନ କରାଯାଇଛି।

ଓଡ଼ିଶା ସରକାର ଓଇଆରସିର ଏହି ନୋଟିସ୍‌କୁ ସମସ୍ତ ପଂଚାୟତ ଅଫିସ୍‌, ଏନଏସି ଓ ମ୍ୟୁନିସିପାଲିଟି ଅଫିସ୍‌, ସବୁ ୱାର୍ଡ଼, ସବୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲାପାଳଙ୍କ ଦପ୍ତରରେ ବ୍ୟାପକ ଭାବରେ ଟାଙ୍ଗି ଜନସାଧାରଣଙ୍କ ଠାରୁ ବିଜୁଳି ସମସ୍ୟା ଉପରେ ଅଭିଯୋଗ ପତ୍ର ଆହ୍ୱାନ କରିବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ଏଠାରେ ଉଲ୍ଲେଖଥାଉକି, ସମଗ୍ର ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ବିଜୁଳି ସଂସ୍କାର ବିଶ୍ୱବ୍ୟାଙ୍କ ଋଣ ଜରିଆରେ ୧୯୯୪-୯୫ ମସିହାରେ ଆରମ୍ଭ କରିଥିଲା। ଏହି ସଂସ୍କାରର ଲକ୍ଷ୍ୟ ଥିଲା ରାଜ୍ୟର ଜନସାଧାରଣଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା। କିନ୍ତୁ ୩୦ ବର୍ଷର ସଂସ୍କାର ପରେ ମଧ୍ୟ ଓଡ଼ିଶାରେ ବିଜୁଳି ଶସ୍ତା ହେଲା ନାହିଁ କିମ୍ବା ସାଧାରଣ ଲୋକ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ପାଇପାରିଲେ ନାହିଁ। ବିଶେଷତଃ ୨୦୨୦ ମସିହା ଠାରୁ ଟାଟା ପାୱାର ବିଜୁଳି ବ୍ୟବସ୍ଥା ନେଲାପରେ ସାଧାରଣ ଲୋକଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ବୃଦ୍ଧି ପାଇଛି। ବିଜୁଳି ଶୁଳ୍କ ଆଦାୟ ନାମରେ ସାଧାରଣ ଗରିବ ଲୋକଟିର ବିଜୁଳି କାଟି ଦିଆଯାଉଛି। ନାଲି ଆଖି ଦେଖାଇ ଟାଟା ପାୱାରର କର୍ମଚାରୀମାନେ ସ୍ମାର୍ଟ ମିଟର ଓ ଡିଜିଟାଲ ମିଟର ଲଗାଇବାକୁ ସାଧାରଣ ଖାଉଟିଙ୍କୁ ବାଧ୍ୟ କରୁଛନ୍ତି। ଏଭଳିକି ମିଟର ଠିକ୍ ଥିଲେ ସୁଦ୍ଧା ସେମାନେ ମନମାନୀ କରି ସ୍ମାର୍ଟ ମିଟର ଲଗାଉଛନ୍ତି। ଏହାକୁ ଉପଭୋକ୍ତା ମହାସଂଘ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ଶକ୍ତିମନ୍ତ୍ରୀ ଦେଇଥିବା ବକ୍ତବ୍ୟକୁ ସରକାରଙ୍କୁ ମନେ ପକାଇ ଦେଉଛି ଯେ, ସ୍ମାର୍ଟ ମିଟର କୌଣସି ପରିସ୍ଥିତିରେ ଲଗାଇବା ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ।

ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ହୋଇଥିଲେ ସୁଦ୍ଧା ବିଗତ ୭/୮ବର୍ଷ ହେବ ରାଜ୍ୟର ୧ କୋଟି ଉପଭୋକ୍ତା ଦେଶର ୩୫ କୋଟି ଉପଭୋକ୍ତାଙ୍କ ତୁଳନାରେ ଅଧିକ ବିଜୁଳି ବିଲ୍ ଦେବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ଦେଶର ସାଧାରଣ ବିଜୁଳି ଉପଭୋକ୍ତାଟିଏ ୟୁନିଟ ପିଛା ହାରାହାରି ୫ ଟଙ୍କା ୬୪ ପଇସା ଦେଉଥିବା ବେଳେ ଓଡ଼ିଶାର ଜଣେ ଖାଉଟିକୁ ୫ ଟଙ୍କା ୮୮ ପଇସା ବିଜୁଳି ଶୁଳ୍କ ଦେବାକୁ ପଡୁଛି ବୋଲି ଉପଭୋକ୍ତା ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଉଛି। ସେହିଭଳି ତାପୂର୍ବ ବର୍ଷ ରାଜ୍ୟର ଉପଭୋକ୍ତାମାନେ ୟୁନିଟ୍ ପିଛା ୪୭ ପଇସା ଓ ତା ପୂର୍ବବର୍ଷ ଓଡ଼ିଶାର ଗ୍ରାହକମାନେ ୯୦ ପଇସା ୟୁନିଟ୍ ପିଛା ବିଜୁଳି ଶୁଳ୍କ ଅଧିକ ଦେଇଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପାୱାର ଫାଇନାନ୍ସ କର୍ପୋରେସନ ରିପୋର୍ଟରେ କୁହାଯାଇଛି। ଏହିଭଳି ଦେଖିଲେ ବିଗତ ୫ ବର୍ଷରେ ରାଜ୍ୟର ବିଜୁଳି ଗ୍ରାହକଙ୍କ ଠାରୁ ଅଧିକ ଶୁଳ୍କ ନାଁରେ ୫ ହଜାର କୋଟିରୁ ଅଧିକ ଶୁଳ୍କ ଆଦାୟ କରାଯାଇଛି। ଏହାକୁ ସୁଧମୂଳ ସହିତ ଖାଉଟିକୁ ଫେରାଇବା ପାଇଁ ଉପଭୋକ୍ତା ମହାସଂଘ ଦାବି କରିଛି। ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରୁ ବିଜୁଳି କିଣି ବିହାର ଅଗଷ୍ଟ ୧ ତାରିଖରୁ ୧୨୫ ୟୁନିଟ୍ ବିଜୁଳି ଖାଉଟିମାନଙ୍କୁ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ୩୦୦ ୟୁନିଟ ମାଗଣା ବିଜୁଳି ଦେବେ ବୋଲି ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଭୁଲି ଯାଇଛନ୍ତି। ବିଜୁଳ ସମସ୍ୟାକୁ ନେଇ ଉପଭୋକ୍ତା ମହାସଂଘ ଜିଲ୍ଲା ଓ ବ୍ଲକସ୍ତରରେ ଜନଜାଗରଣ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ରାଜ୍ୟସ୍ତରରେ ଏକ ବଡ଼ ଧରଣର ଜନ ସମ୍ମିଳନୀ କରିବାକୁ ଏହି ବୈଠକରେ ସ୍ଥିର କରାଯାଇଛି। ଏହି ବୈଠକରେ ମହାସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଓ ନାରାୟଣ ରେଡ୍ଡି, ଆଇଏଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ସିପିଏମ୍ ନେତା ପ୍ରଭାତ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ନାରୀନେତ୍ରୀ ପ୍ରଣତି ମିଶ୍ର, ଉପଭୋକ୍ତା କରୁଣାକର ହେତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande