ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଘରେ ପଶିଲା ବର୍ଷା ଜଳ
ବାରିପଦା, ୨୫ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହା ଗ୍ରାମ ପଂଚାୟତ ଅଂଚଳରେ ପୂର୍ତ ବିଭାଗର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଘରେ ବର୍ଷା ଜଳ ପସିଛି। ଖୋଦ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏହା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ସତ
Ghare pashila barsa pani


ବାରିପଦା, ୨୫ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହା ଗ୍ରାମ ପଂଚାୟତ ଅଂଚଳରେ ପୂର୍ତ ବିଭାଗର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଘରେ ବର୍ଷା ଜଳ ପସିଛି। ଖୋଦ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏହା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ସତ୍ୱେ କୋଣସି ବିଭାଗୀୟ ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମବାସୀ ମାନେ ପୂର୍ତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପଂଚାୟତ ଅଂଚଳରେ ଦାନ୍ତିଆମୁଁହା ଠାରୁ କରମଷୋଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ପୂର୍ତ ବିଭାଗ ପକ୍ଷରୁ ଜାରି ରହିଛି। ତେବେ ଉକ୍ତ ରାସ୍ତାରେ ପୂର୍ବରୁ ୨ଟି କଲଭର୍ଟ ପୋଲ ରହିଥିଲା। ଯାହା ଦ୍ୱାରା ବର୍ଷା ଜଳ ନିଷ୍କାସନ ହେଉଥିଲା। କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ବେଳେ ଗୋଟିଏ ପୋଲକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସେଠାରେ ବଡ଼ ପୋଲର ଆବଶ୍ୟକତା ଥିବା ବେଳେ ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟ କରି ପୋଲ ବନ୍ଦ କରି ଦିଆଯାଇଛି। ତେଣୁକରି ସ୍ଥାନୀୟ ଗରୁଡ଼ବସା ଗ୍ରାମରେ ବର୍ଷା ଜଳ ନିଷ୍କାସନରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ମାନେ ପୂର୍ବରୁ ଜିଲ୍ଲାପାଳ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ୟା ବାବଦରେ ବାରମ୍ବାର ଅଭିଯୋଗ ଜଣାଇଛନ୍ତି। କିନ୍ତୁ ପୂର୍ତ ବିଭାଗ ପକ୍ଷରୁ ଅଭିଯୋଗ ସମାଧାନ କରିବା ନେଇ କୋଣସି ପଦକ୍ଷେପ ଗ୍ରହଣ ହେଲାନାହିଁ। ଏହାସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ସମସ୍ୟା ବାବଦରେ ଜଣାଇଥିଲେ ସୁଦ୍ଧା କୋଣସି ସୁଫଳ ମିଳିଲା ନାହିଁ। ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇନପାରି ଗ୍ରାମର ଘରେ ଓ ବିଲରେ ପଶିଛି। ଯାହା ଦ୍ୱାରା ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମବାସୀ ମାନେ ଦିନ ମଜୁରିଆ ଓ ଚାଷୀ ହୋଇଥିବା ବେଳେ ଘରେ ବର୍ଷା ପାଣି ପଶି ଅନେକ କ୍ଷୟକ୍ଷତି ହେଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ପୂର୍ତ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ମୋରଡାର ପୂର୍ବତନ ବିଧାୟକ ରାଜକିଶୋର ଦାସ ଉକ୍ତ ଗ୍ରାମବାସୀ ମାନଙ୍କ ସମେତ ଆଲୋଚନା କରିଛନ୍ତି। ତେବେ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପଦକ୍ଷେପ ନେବାକୁ ପୂର୍ତ ବିଭାଗ ଯନ୍ତ୍ରୀଙ୍କ ସମେତ ଆଲୋଚନା କରିଛନ୍ତି। ମନ୍ତ୍ରୀ ଡା ମହାପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏହିପରି ସମସ୍ୟା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗକୁ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande