ମାଲକାନଗିରି, ୨୫ ଜୁଲାଇ (ହି.ସ.)ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ | ପୋଲ ଉପରେ ଦୁଇ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ କାଲିମେଳା ବ୍ଲକ ସହିତ ପଡିଆ ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି | ଗତକାଲି ଠାରୁ କାଲିମେଳା ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆଜି ଭୋର ସମୟରେ ଏହି ପୋଲଟି ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି | ପୋଲ ବୁଡ଼ିଯିବା ଯୋଗୁଁ ଯାତ୍ରୀବାହୀ ବସ ସହ ଅନେକ ଯାନବାହାନ ଉଭୟ ପଟେ ଅଟକି ରହିଥିବାର ଦେଖିବାକୁ ମିଳିଛି ଗତ ୨୪ ଘଣ୍ଟା ମଧ୍ୟରେ କାଲିମେଳାରେ ୩୩ ମିଲି ମିଟର ବର୍ଷା ହୋଇଥିବାବେଳେ ମାଲକାନଗିରି ବ୍ଲକରେ ୯୫ମିଲି ମିଟର, ମାଥିଲି ବ୍ଲକରେ ୬୫ମିଳଲି ମିଟର, ଖଇରପୁଟ ବ୍ଲକରେ ୯୫ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୧୯ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୭୨ମିଲିମିଟର, ଓ ପଡିଆ ବ୍ଲକରେ ୪୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି | ସେହିପରି ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ନାଳ ଉପରେ ଗତକାଲି ରାତିରେ ମାତ୍ର ଏକ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିଲା ବେଳେ ସକାଳୁ ପୋଲ ତଳକୁ ପାଣି ଖସି ଯାଇଥିବାର ଦେଖିବାକୁ ମିଳିଛି | ଗୋଟିଏ ପଟେ କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁଁ କାଲିମେଳା - ପଡିଆ ମୁଖ୍ୟ ରାସ୍ତାରେ ଯାତାୟତ ଠପ ହୋଇଯାଇଥିବା ବେଳେ ମାଲକାନଗିରି - ମୋଟୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି |ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ନାଳ ର ଜଳ ସ୍ତର ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯେପରି କୌଣସି ଧନ ଜୀବନ ହାଣି ନହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ