ଖୋର୍ଦ୍ଧା, ୨୫ ଜୁଲାଇ(ହି.ସ.) – ଖୋର୍ଦ୍ଧା ଜିଲ୍ଲା ଜଂକିଆ ମୁଣ୍ଡାଆମ୍ବ ଅଂଚଳକୁ ବାର୍ଡ଼ ଫ୍ଲୁ ଘୋଷଣା କରାଯାଇଛି। ଦ୍ୱିତୀୟ ଦିନରେ ଏକ ବତକ ଫାର୍ମରେ ୭୦୩ ବତକଙ୍କୁ ମରାଯାଇଛି। ତେବେ ଗତକାଲି ପ୍ରଥମ ଦିନରେ ବାର୍ଡ଼ ଫ୍ଲୁରେ ଆକ୍ରାନ୍ତ ୪୫୦୭ କୁକୁଡ଼ା ମରାଯାଇ ପୋତାଯାଇଛି। ଦ୍ୱିତୀୟ ଦିନରେ ବି ଏହି ଅଭିଯାନ ଜାରିରହିଛି। ଶୁକ୍ରବାର ଦ୍ୱିତୀୟ ଦିନରେ କୁକୁଡ଼ା ଫାର୍ମ ନିକଟରେ ଥିବା ଏକ ବତକ ଫାର୍ମରେ ୭୦୩ ବତକଙ୍କୁ ମରା ଅଭିଯାନ ଚାଲିଥିଲା। ଆଜି ପଶୁ ଚିକିତ୍ସା ବିଭାଗର ୧୧ଟି ଟିମ୍ ବତକ ମରା ଅଭିଯାନରେ ସାମିଲ ଅଛନ୍ତି। ଜିଲ୍ଲା ପ୍ରାଣୀଧନ ପଶୁ ଚିକିତ୍ସା ବିଭାଗ ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ ଜନ ସାଧାରଣ ଭୟଭୀତ ନହେବା ପାଇଁ କହିଛନ୍ତି। ଉକ୍ତ ଅଂଚଳର ଏକ କି.ମି. ପରିଧି ଅଂଚଳରେ ସର୍ଭେଲାନ୍ସ ରଖାଯାଇଛି। ଏହି କୁକୁଡ଼ା ଓ ବତକ ମରା ଅଭିଯାନରେ ୧୨ଟି ଆର୍ଆର୍ଟି ଟିମ ଆକ୍ଟିଭ ରହିଛି। ଏପରିକି ୨ଟି ଆର୍ଆର୍ଟି ଟିମ ସମ୍ପୃକ୍ତ ଅଂଚଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରକାଶ ଥାଉକି ଏହି କୁକୁଡ଼ା ଫାର୍ମରେ ପୂର୍ବରୁ ୭୦୦ କୁକୁଡ଼ା ମଡ଼କ ହୋଇଥିଲା। ଖବରପାଇ ଟିମ୍ ପହଂଚି ନମୁନା ସଂଗ୍ରହ କରି ଭୋପାଳ ପଠାଇଥିଲେ। ଭୋପାଳରୁ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନ ପକ୍ଷରୁ ସେହି ଅଂଚଳକୁ ବାର୍ଡ଼ ଫ୍ଲୁ ଘୋଷଣା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ