ଖୋର୍ଦ୍ଧା, 25 ଜୁଲାଇ (ହି.ସ.) ପୁରୀ ଜିଲ୍ଲାରେ କୁକୁଡ଼ା ମଡ଼କ ପରେ ଏବେ ଗତ କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ସମେତ ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମଗୁଡ଼ିକରେ କୁକୁଡ଼ା ମଡ଼କ ଦେଖା ଦେଇଥିଲା। ଅନେକ କୁକୁଡ଼ା ଫାର୍ମ ନିଜର ବ୍ୟବସାୟ ବନ୍ଦ କରିଦେଇଥିଲେ । ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁକୁଡ଼ାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ନିମନ୍ତେ ଭୋପାଳ ପଠାଯାଇଥିଲା | ଗୁରୁବାର ଏହାର ରିପୋର୍ଟ ଆସିବା ପରେ କୁକୁଡ଼ାଙ୍କ ଠାରେ ‘ବାର୍ଡ ଫ୍ଲୁ’ ଥିବା ସ୍ପଷ୍ଟ ହୋଇଛି। ପରେ ଜଙ୍କିଆ ମୁଣ୍ଡାଆମ୍ୱ ଅଞ୍ଚଳରେ ସଂକ୍ରମିତ କୁକୁଡ଼ାଙ୍କୁ ମାରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ତେବେ ପ୍ରଥମ ପର୍ଯ୍ୟାୟରେ ୪୫୦୦ କୁକୁଡ଼ାଙ୍କୁ ମରାଯାଇଥିବା ଜଣାଯାଇଛି।ଗତ ସପ୍ତାହରେ ଖୋର୍ଦ୍ଧା ଡେପୁଟି ଡାଇରେକ୍ଟର -ମାନସ କୁମାର ଚାନ୍ଦ ଙ୍କ ନେତୃତ୍ବରେ ଏକ ପଶୁ ଚିକିତ୍ସକ ଟିମ୍ ଆସି ଜଙ୍କିଆରୁ ନମୁନା ସଂଗ୍ରହ କରିଥିଲେ। ଆଜି ଭୋପାଳରୁ ଆସିଥିବା ପରୀକ୍ଷଣ ରିପୋର୍ଟରେ କୁକୁଡ଼ାଙ୍କ ଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ସ୍ପଷ୍ଟ ହୋଇଛି। ଏହାପରେ, କଟକର ଅତିରିକ୍ତ ପ୍ରାଣୀ ନିର୍ଦ୍ଦେଶକ ମିହିର ନାୟକ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରବି ନାରାୟଣ ପଟ୍ଟନାୟକ,ଡେପୁଟି ଡାଇରେକ୍ଟର ମାନସ କୁମାର ଚାନ୍ଦ, କଟକ ତିଗିରିଆ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ଦାସ, ବାଲିପାଟଣା ପ୍ରାଣୀ ଚିକିତ୍ସକ ପ୍ରିତମ ପ୍ରିତିମାନ ପଣ୍ଡା ଓ କନ୍ଧମାଳ, ଟାଙ୍ଗୀ, ସିକୋ, ବେଗୁନିଆ, ଆଠଗଡ ଆଦିର ପ୍ରାଣୀ ଚିକିତ୍ସକଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀ ଜଂକିଆରେ ମୁଣ୍ଡାଆମ୍ବ ଅଂଚଳରେ ପହଞ୍ଚିଥିଲେ | ସେଠାରେ ଥିବା ଏକ ଫାର୍ମର ୪୫୦୭ କୁକୁଡ଼ାଙ୍କୁ ହତ୍ୟା ଓ ମହଜୁଦ ଥିବା ୧୬ଶହ କେଜି କୁକୁଡ଼ା ଦାନାକୁ ନଷ୍ଟ କରିଥିଲେ। ମଲା କୁକୁଡ଼ା ଓ ଦାନାଗୁଡ଼ିକୁ ଜେସିବିରେ ଏକ ଗାତ ଖୋଳି ପୋତିଥିଲେ | ବର୍ତ୍ତମାନ ପ୍ରାଣୀ ଚିକିତ୍ସକ ଟିମ୍ ଜଙ୍କିଆ ପଂଚାୟତ କାର୍ଯ୍ୟାଳୟରେ ଡେରା ପକାଇଛନ୍ତି | ତେବେ ଶୁକ୍ରବାର ମଧ୍ୟ ଏହି କୁକୁଡ଼ା ମରା ଅଭିଯାନ ଜାରି ରହିବ ବୋଲି ପ୍ରାଣୀ ସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ