କଟକ ବଡ଼ମେଡ଼ିକାଲ ଏମ୍‌ଆରଇ ମେସିନ ମରାମତି ପାଇଁ ୫ ହଜାର ଟଙ୍କା ପ୍ରଦାନ କଲେ ମାନସ ଚୌଧୁରୀ - ଅଚଳ ମେସିନ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀଙ୍କ ଚିକିତ୍ସା ହୋଇପାରିଲା ନାହିଁ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ.) – କଟକ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ତଥା ଏଆଇସିସି ସଭ୍ୟ ମାନସ ଚୌଧୁରୀ ଶୁକ୍ରବାର କଟକ ଏସ୍‌ସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ଗସ୍ତ କରି ସେଠାରେ ଅସଜଡ଼ା ଥିବା ଏମ୍‌୍‌ଆରଇ ମେସିନ୍‌ର ମରାମତି ପାଇଁ ୫ ହଜାର ଟଙ୍କା ହସ୍ପିଟାଲର ସୁପରିଟେଣ୍ଡେଙ୍କୁ ପ୍ରଦାନ କରିଛ
କଟକ ବଡ଼ମେଡ଼ିକାଲ ଏମ୍‌ଆରଇ ମେସିନ ମରାମତି ପାଇଁ ୫ ହଜାର ଟଙ୍କା ପ୍ରଦାନ କଲେ ମାନସ ଚୌଧୁରୀ - ଅଚଳ ମେସିନ ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀଙ୍କ ଚିକିତ୍ସା ହୋଇପାରିଲା ନାହିଁ


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ.) – କଟକ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ତଥା ଏଆଇସିସି ସଭ୍ୟ ମାନସ ଚୌଧୁରୀ ଶୁକ୍ରବାର କଟକ ଏସ୍‌ସିବି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ଗସ୍ତ କରି ସେଠାରେ ଅସଜଡ଼ା ଥିବା ଏମ୍‌୍‌ଆରଇ ମେସିନ୍‌ର ମରାମତି ପାଇଁ ୫ ହଜାର ଟଙ୍କା ହସ୍ପିଟାଲର ସୁପରିଟେଣ୍ଡେଙ୍କୁ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହଧର୍ମିଣୀ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଏମ୍‌ଆରଆଇ କରିବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏସ୍‌ସିବିର ଆଂଚଳିକ ନିଦାନ କେନ୍ଦ୍ରରେ ଥିବା ଏମ୍‌ଆରଆଇ ମେସିନ କିଛିଦିନ ଧରି ଅଚଳ ହୋଇ ପଡ଼ିଥିବା ଯୋଗୁ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀଙ୍କ ଏମ୍‌ଆରଆଇ ହୋଇପାରି ନଥିଲା।

ଏହି ଅବସରରେ ଶ୍ରୀ ଚୌଧୁରୀ କହିଛନ୍ତି ଯେ, ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶାର ସବୁଠାରୁ ଭରସାଯୋଗ୍ୟ, ଉନ୍ନତ ସରକାରୀ ବଡ଼ ମେଡ଼ିକାଲ କଲେଜ ଏବଂ ଚିକିତ୍ସାଳୟର ଅବସ୍ଥା କଣ ତାହା ପଦାରେ ପଡ଼ିଯାଇଛି। ଯଦି ଜଣେ ସାଧାରଣ ବ୍ୟକ୍ତିଙ୍କର କଥା ହୋଇଥାନ୍ତା, ଏହି ଅବ୍ୟବସ୍ଥା କଥା ଲୋକ ଜାଣିପାରି ନଥାନ୍ତେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କର ସହଧର୍ମିଣୀ ଚିକିତ୍ସା ପାଇଁ ଆସିଥିଲେ, ସେହି କାରଣରୁ କଟକ ବଡ଼ ମେଡ଼ିକାଲର ଚିକିତ୍ସାର ଦୂରାବସ୍ଥା କଥା ଜଣାପଡ଼ିଛି। ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ସାଧାରଣ ରୋଗୀ ସରକାରୀ ଚିକିତ୍ସା ପାଇବା ପାଇଁ କଟକ ବଡ଼ ମେଡ଼ିକାଲ ଆସିଥାନ୍ତି। ବଡ଼ ମେଡ଼ିକାଲ ଉପରେ ମଧ୍ୟ ସେମାନଙ୍କର ଭରସା ଥାଏ ଏବଂ ଓଡ଼ିଶା ସରକାରଙ୍କ ଏହା ମଧ୍ୟ ସବୁଠାରୁ ସର୍ବପୁରାତନ ବଡ଼ ଏବଂ ଅତ୍ୟାଧୁନିକ ଡାକ୍ତରଖାନା। ଏବେ ମୁଖ୍ୟମନ୍ତ୍ରୀ ନିଜେ ଏହି ଡାକ୍ତରଖାନାର ଅବସ୍ଥା ସମ୍ପର୍କରେ ଅବଗତ ହେଲେ। ଓଡ଼ିଶାର ଲକ୍ଷ ଲକ୍ଷ ରୋଗୀ ଏଠାରେ ଏବଂ ରାଜ୍ୟସାରା ଯେଉଁ ସରକାରୀ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧି ହେଉଛନ୍ତି, ତାର ମାନ କଣ ମୁଖ୍ୟମନ୍ତ୍ରୀ ନିଜେ ଜାଣିଲେ।

ଭଏସ୍ ଏଗନେଷ୍ଟ ହେଟ୍‌ର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ମାନସ ଚୌଧୁରୀ ଏବଂ ତାଙ୍କର ସହଯୋଗୀମାନେ ଏହି ମେସିନର ମରାମତି ପାଇଁ ପ୍ରତୀକାତ୍ମକ ଭାବରେ ୫ ହଜାର ଟଙ୍କା ସଂଗ୍ରହ କରି ହସ୍ପିଟାଲ କର୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି। ଏହି ପରିମାଣ ଯେତେ ସାମାନ୍ୟ ହେଉ, ଆମ ଦଳର ନେତା ଏବଂ କର୍ମମାନଙ୍କର ଏହା ଏକ ସାମୂହିକ ଦାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ସମର୍ଥନ କରିବା ଏବଂ ଓଡ଼ିଶାର ଲୋକଙ୍କ ସହିତ ଠିଆ ହେବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସରକାରଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି, ସାଧାରଣ ଚିକିତ୍ସା ପାଇଁ ବଜେଟରେ କୋଟି କୋଟି ଟଙ୍କା ରହିଥିଲେ ମଧ୍ୟ ଏବଂ ବିନିଯୋଗ ହୋଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସରକାରୀ ଚିକିତ୍ସା ସେବା ଉନ୍ନତମାନର ହୋଇପାରୁ ନାହିଁ। ସୁତରାଂ ଓଡ଼ିଶାର ସରକାରୀ ଚିକିତ୍ସା ସେବା ଯାହାକି ସାଧାରଣ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ତାହା ଥାଇ ମଧ୍ୟ ନଥିଲା ଭଳି। ସରକାର କେବଳ କଟକ ବଡ଼ମେଡ଼ିକାଲର ଏମ୍‌ଆରଆଇ ମେସିନକୁ ସଜାଡ଼ି ଦେଲେ ହେବନାହିଁ। ଦୟାକରି ସାରା ଓଡ଼ିଶାର ସରକାରୀ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ଅନୁଧ୍ୟାନ କରି ଏହାର ପ୍ରତିକାର କରିବା ପାଇଁ ଶ୍ରୀ ଚୌଧୁରୀ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶିଶିର ରଥ, ଆକ୍ୟୁବ ଖାନ, ବିପ୍ଲବ ଶିଳାଦିତ୍ୟ, ମନୋଜ ବିଶ୍ୱାଳ, ପ୍ରିୟଜିତ ରାୟ, ରାମଚନ୍ଦ୍ର ଗୋଚ୍ଛାୟତ, ଆଶୁତୋଷ ରାଉତ, କପିଳନାଥ ସ୍ୱାଇଁ, ଚନ୍ଦ୍ରକାନ୍ତ ନାୟକ, ନିର୍ମଳ ସ୍ୱାଇଁ, ଜୟ ନାରାୟଣ ତ୍ରିପାଠୀ, ବିପିନ ପଶାୟତ, ଆଶୁତୋଷ ବରାଳ, ଉଗ୍ରସେନ ଭୂୟାଁ, ଶିବ ଅଗ୍ରୱାଲ, ରଜନୀ ବସ୍ତିଆ, ସନ୍ତୋଷ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande