ଜୟପୁର, ୨୫ ଜୁଲାଇ (ହି.ସ.)- ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପାକଙ୍କ ଘରେ ଆଜି ଚଢଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର ଓ ଜୟପୁର ସମେତ ୬ଟି ସ୍ଥାନରେ ଚଢଉ କରିଛି । ରାମ ଚନ୍ଦ୍ର ନେପାକ ବର୍ତମାନ ଜୟପୁର ରେଞ୍ଜର ବନାଞ୍ଚଳ ଅଧିକାରି ଦାୟିତ୍ୱରେ ଅଛନ୍ତି । ଆଉ ୬ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ । ଜୟପୁର ଏନକେଟି ରୋଡ ସ୍ଥିତ, ପିଆର ପେଟା ସ୍ଥିତ ଘର ଆପାର୍ଟମେଣ୍ଟ ଓ ସମ୍ବାରତୋଟା ସମେତ ୬ଟି ସ୍ଥାନରେ ଚଢଉ କରିଛି । ଚଢଉ ସମୟରେ ଦେଢ କୋଟିରୁ ଅଧିକ ନଗଦ ଟଙ୍କା ସହ ୧ କେଜି ପାଖାପାଖି ସୁନା ଗହଣା, ପ୍ଲଟ ଆଦି ଜବତ କରିଥିବା ବିଷୟ ଭିଜିଲାନ୍ସ ଏପପି ରବିନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି । ଗୋଲ୍ଡେନ ହାଇଟ ଆପାର୍ଟମେଣ୍ଟରୁ ମିଳିଛି ବିଡା ବିଡା ଟଙ୍କା । ଏହା ସହ ବିପୁଳ ପିରମାଣରେ ସୁନା ରୁପା ଆଦି ଜବତ ହୋଇଛି । ସମସ୍ତ ଅଭିଯୋଗକୁ ଖଣ୍ଟନ କରିଛନ୍ତି ଡେପୁଟି ରେଞ୍ଜର । ସମସ୍ତ ସମ୍ପତ୍ତି ତାଙ୍କ ପୁଅର ବୋଲି ଗଣମାଧ୍ୟମକୁ ସଫେଇ ଦେଇଛନ୍ତି । ଭୁବନେଶ୍ୱର ପଟିଆରେ ଥିବା ଫ୍ଲାଟ ସହ ଶ୍ଵଶୁର ଘର, ଅଫିସରେ ଚଢଉ କରିଥିଲା ଭିଜିଲାନ୍ସ । ୨ କେଜି ରୁପା, ଜୟପୁର ସହରରେ ୨ଟି ପ୍ଲଟ ଆଦିକୁ ଠାବ କରାଯାଇଛି । ୧୯୮୯ ରେ ବନ ବିଭାଗରେ ଗାର୍ଡ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ରାମ ଚନ୍ଦ୍ର ନେପାକ । ଦୀର୍ଘ ୩୫ରୁ ୩୬ ବର୍ଷ ଧରି କୋରାପୁଟ ଜିଲାରେ ହିଁ କାଟିଛନ୍ତି । ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ଏଲଆଇସି ଆଦି ଯାଞ୍ଚ ଚାଲିଛି, ଏହାର ପରିମାଣ ବହୁତ ବଢିବ ବୋଲି ଏସପି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି