ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସଫଳ ରୂପାୟନ ସ୍ୱରୂପ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଦୂରଦୂରାନ୍ତ ଅଂଚଳ ଅଧିବାସୀଙ୍କ ନିମନ୍ତେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସପିଟାଲରୁ ୧୧ ଜଣ ବିଶେଷଜ୍ଞ ଏହି ଶିବିରରେ ଅବସ୍ଥାନ କରି ଉଚ୍ଚତର ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇଦେଇଛନ୍ତି । ଶିବିର ପାଇଁ ନୂଆପଡ଼ା ଜିଲ୍ଲା ହସପିଟାଲକୁ ଅତ୍ୟାଧୁନିକ ରୋଗ ନିରୂପଣ ଯନ୍ତ୍ରପାତି ମଧ୍ୟ ପଠାଯାଇଥିଲା ।
ଚାରି ଦିନ ଧରି ଚାଲିଥିବା ଏହି ଶିବିରରେ ୯୪୪ ଜଣ ରୋଗୀ ଉଚ୍ଚତର ଚିକିତ୍ସା ସୁବିଧା ଲାଭ କରିଥିଲେ । ଏମାନଙ୍କ ମଧ୍ୟରେ ୟୁରୋଲୋଜି ବିଭାଗରେ ୬୯ ଜଣ, ସ୍ନାୟୁରୋଗ ବିଭାଗରେ ୩୭୪ ଜଣ, ନେଫ୍ରୋଲୋଜିରେ ୧୧୨ ଜଣ, ହୃଦରୋଗରେ ୧୬୪, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ୧୫୩, ଏଣ୍ଡ୍ରୋକ୍ରାଇନୋଲୋଜିରେ ୭୨ ଜଣଙ୍କର ସଫଳ ଚିକିତ୍ସା କରାଯାଇଥିଲା । ଏହାସହ ୬୧ ଜଣଙ୍କର ଇକୋକାର୍ଡିଓଗ୍ରାଫି, ୧୩୬ ଜଣଙ୍କର ଇ.ସି.ଜି, ୧୨ ଜଣଙ୍କର ଏଣ୍ଡୋସ୍କୋପି, ୨୪ ଜଣଙ୍କର ଅଲଟ୍ରାସାଉଣ୍ଡ, ୮୯ ଜଣଙ୍କର ଏକ୍ସରେ ଏବଂ ୫୨୧ ଜଣଙ୍କର ବିଭିନ୍ନ ପ୍ରକାର ଖର୍ଚ୍ଚ ବହୁଳ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷା କରାଯାଇଥିଲା ।
କଟକ ଏସ୍.ସି.ବି ୟୁରୋଲୋଜି ବିଭାଗର ଡାକ୍ତର ପ୍ରମୋଦ, ହୃଦରୋଗ ଡାକ୍ତର ସୁଚିସ୍ମିତା, ସ୍ନାୟୁ ରୋଗର ଡାକ୍ତର ଅଶ୍ୱିନୀ, ନେଫ୍ରୋଲୋଜି ବିଭାଗର ଡାକ୍ତର ରାକେଶ, ଏବଂ ହେପାଟୋଲୋଜି ଡାକ୍ତର ଜ୍ଞାନରଞ୍ଜନ ପ୍ରମୁଖ ବରିଷ୍ଠ ବିଶେଷଜ୍ଞମାନେ ଶିବିରରେ ରୋଗୀମାନଙ୍କୁ ସିଧାସଳଖ ଚିକିତ୍ସା କରିଥିଲେ । ଏହାଛଡ଼ା ଡାକ୍ତର ଭବାନୀ ଶଙ୍କର, ଡାକ୍ତର ବିଶ୍ୱଜିତ୍, ଡାକ୍ତର ଲିଙ୍କନ, ଡାକ୍ତର ସନନ୍ଦ, ଡାକ୍ତର ସୋନାଳିକା ଏବଂ ଡାକ୍ତର ପଙ୍କଜ କୁମାର ପ୍ରମୁଖ ବିଶେଷଜ୍ଞମାନେ ରୋଗୀସେବା ବେଳେ ନିଜ ନିଜ ବିଭାଗର ବରିଷ୍ଠ ବିଶେଷଜ୍ଞଙ୍କୁ ଚିକିତ୍ସା ସମ୍ବନ୍ଧିତ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା