ଭୁବନେଶ୍ୱର,୨୫ ଜୁଲାଇ (ହି.ସ)- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୫ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଅବସର ପ୍ରାପ୍ତ ନିର୍ଦ୍ଦେଶକ, ଜାତୀୟ ପ୍ରସାରଣ ଏବଂ ମଲ୍ଟିମିଡ଼ିଆ ଏକାଡ଼େମୀ, ଭୁବନେଶ୍ୱର ଡ. ଦୀପକ ସାମନ୍ତରାୟ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର ।
ସମ୍ପାନର ମୁଖ୍ୟ ବକ୍ତା ଡ.ଦୀପକ ସାମନ୍ତରାୟ କହିଥିଲେ ଯେ ବାରବାଟୀକୁ ବାଦଦେଇ ଓଡ଼ିଶାର ଇତିହାସ କଳ୍ପନା କରିବା ସମ୍ଭବ ନୁହେଁ । ଗଜପତି କପିଳେନ୍ଦ୍ର ଦେବ ଅଙ୍ଗ, ବଙ୍ଗ, କଳିଙ୍ଗ ଏବଂ କୋଶଳ ଇତ୍ୟାଦି ଅଞ୍ଚଳ ସମୂହକୁ ଗୋଟିଏ ଶାସନ ଅଧିନକୁ ଆଣିଥିଲେ । ବାରବାଟୀ ସବୁ ସମୟରେ ପ୍ରେରଣାର ଉତ୍ସ ଭାବରେ ଓଡ଼ିଆ ଜାତିକୁ ଉଦବୁଦ୍ଧ କରିଛି । ବାରବାଟୀକୁ ନେଇ ସର୍ଜନଶୀଳ ଓଡ଼ିଆ ରଚନା କରିଛନ୍ତି ଅନେକ କବିତା ଏବଂ ସାହିତ୍ୟ କୃତି । ପରିତାପର ବିଷୟ ଆଜି ଓଡ଼ିଆ ଜାତିର ଅସ୍ମିତାର ପ୍ରଭାବଶାଳୀ ପ୍ରତୀକ ବାରବାଟୀ ସମ୍ପୂର୍ଣ୍ଣ ଭାବେ ଅବହେଳିତ । ଗଡ଼ଖାଇର ପୁନରୁଦ୍ଧାର, ସାଇଟ୍ ସଂଗ୍ରହାଳୟ ସ୍ଥାପନ, ପାର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ପାରିଲେ ଆମେ କହି ପାରିବା ଆମେ ବାରବାଟୀର ଡାକ ଶୁଣିଲୁ । ଐତିହ୍ୟକୁ ସମ୍ମାନ ଦେବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତବ୍ୟ । ଆସନ୍ତୁ ଆମ ଐତିହ୍ୟକୁ ସୁରକ୍ଷା ଦେବା କାରଣ ଆମ ଐତିହ୍ୟ ହିଁ ଆମ ଅସ୍ମିତା । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତର କାର୍ଯ୍ୟକ୍ରମ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା