ସମ୍ବଲପୁର, ୨୬ ଜୁଲାଇ (ହି.ସ.)- ଶନିବାର ଯୁଯୁମରା ସ୍ଥିତ ଦେବଝରଣ ଜଳପ୍ରପାତରେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ବୁଡିଯିବାରୁ ବୁର୍ଲା ମେଡ଼ିକାଲ କଲେଜର ଶେଷ ବର୍ଷର ଦୁଇ ଜଣ ଛାତ୍ରଛାତ୍ରୀ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।
ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲା ବୁର୍ଲା ମେଡିକାଲ କଲେଜର ୬ ଜଣ ଛାତ୍ରଛାତ୍ରୀ ଆଜି ପ୍ରତ୍ୟୁଷରେ ଯୁଯୁମରା ସ୍ଥିତ ଦେବଝରଣ ଜଳପ୍ରପାତ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ ବୁଲାବୁଲି କରିବା ପରେ ଜଳପ୍ରପାତର ନିମ୍ନ ଭାଗକୁ ଯାଇ ସେଠାରେ କିଛି ସମୟ ହସଖୁସିରେ ସମୟ ଅତିବାହିତ କରିଥିଲେ । କିଛି ସମୟ ପରେ ସେମାନେ ଗାଧୋଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚୟନ କରି ପ୍ରପାତର ଜଳଧାରା ନିକଟରେ ପହଞ୍ଚି ଏକତ୍ରିତ ଗାଧୋଇଥିଲେ । ମାତ୍ର ହସଖୁସି ମଧ୍ୟରେ ହଠାତ୍ ଜଳପ୍ରପାତର ସ୍ରୋତରେ ମୋନିକା ମୀନା ନାମ୍ନୀ ଜନୈକା ଛାତ୍ରୀ ନିଜର ସନ୍ତୁଳନ ହରାଇ ଗଭୀର ପାଣିରେ ବୁଡି ଯାଉଥିଲେ । ଏହା ଦେଖି ସନ୍ଦିପ ପୁରୀ ନାମକ ସହପାଠୀ ମୋନୀକାଙ୍କୁ ଉଦ୍ଧାର କରିବାକୁ ଗଭୀର ଜଳସ୍ରୋତରେ ଲମ୍ଫ ମାରି ସେ ମଧ୍ୟ ନିଖୋଜ ହୋଇ ଯାଇଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଶେଷରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ, ଉଭୟ ମୃତ ଛାତ୍ରଛାତ୍ରୀ ବୁର୍ଲା ମେଡ଼ିକାଲ କଲେଜର ଶେଷ ବର୍ଷର ଛାତ୍ର ଛାତ୍ରୀ ଥିଲେ । ମୋନିକା ମୀନା ରାଜସ୍ଥାନ ଅଞ୍ଚଳର ହୋଇଥିବା ବେଳେ ମୃତ ସନ୍ଦିପ ପୁରୀ ନୂଆଦିଲ୍ଲୀ ଅଞ୍ଚଳର ବୋଲି ସହପାଠୀଙ୍କ ସୂତ୍ରରୁ ଜଣାପଡିଛି । ଏଭଳି ଅପ୍ରତ୍ୟାଶିତ ଦୁଃଖଦ ଖବର ପାଇ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ବୁର୍ଲା ମେଡିକାଲ କଲେଜର ଅଧୀକ୍ଷକ ଏବଂ ଡିନ୍ । ସେହିପରି ଖବର ପାଇ ନିକଟସ୍ଥ ଥାନାର ପୋଲିସ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ