ମାଲକାନଗିରି, ୨୬ ଜୁଲାଇ (ହି.ସ.)- ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଲା ୩ ବର୍ଷର ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ । ଏହି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁରୁ । କୋରୁକୋଣ୍ଡା ଗାଁର ପ୍ରଦୀପ ବିଶ୍ବାସ ଆଜି ସକାଳୁ ବଜାରରୁ ଗରାଟିଏ କିଣି ଆଣିଥିଲେ। ତେବେ ତାଙ୍କର ୩ ବର୍ଷର ପୁଅ ତନ୍ମୟ ଖେଳୁ ଖେଳୁ ଗରାରେ ମୁଣ୍ଡ ପୁରାଇବା ମାତ୍ରେ ଗରାରେ ମୁଣ୍ଡ ଫସି ଯାଇଥିଲା । ପ୍ରଥମେ ଘରେ ଚେଷ୍ଟା କରିବା ପରେ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ନେଇଥିଲେ ବାପା । ସେଠାରୁ ମାଲକାନଗିରି ଅଗ୍ନିଶମ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ଅଗ୍ନିଶମ କର୍ମଚାରୀ । ମାଲକାନଗିରି ଠାରେ ଦୀର୍ଘ ସମୟର ଉଦ୍ୟମ ପରେ କଟର୍ ସହାୟତାରେ ଗରା କାଟି ଶିଶୁ ମୁଣ୍ଡରୁ ଗରା ବାହାର କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ