ପୁରୀ, ୨୬ ଜୁଲାଇ (ହି.ସ.)- ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଂଚଳରେ ୧୬ ବର୍ଷିୟା ନାବାଳିକାଙ୍କୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇନେଇ ନଦୀପଠାରେ ଜୀବନ୍ତ ଜାଳି ମାରିଦେବାକୁ ଉଦ୍ୟମ ଘଟଣାକୁ ଇତିମଧ୍ୟରେ ୮ ଦିନ ବିତିଛି । ପୋଲିସ ଓ କ୍ରାଇମବ୍ରାଂଚ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି । ଆଜି ଅପରାହ୍ନରେ ବଳଙ୍ଗା ଥାନାରେ ପହଂଚିଛନ୍ତି ପୁରୀ ଏସପି ପିନାକ ମିଶ୍ର । ସେ ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଂଚ ଟିମ୍ ସହ ଏନେଇ ଆଲୋଚନା କରିଛନ୍ତି ।
ପ୍ରକାଶ ଥାଉକି, ଗତକାଲି ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ ହୋଇଥିଲା । କ୍ରାଇମବ୍ରାଂଚ, ପୋଲିସ, ମାଜିଷ୍ଟ୍ରେଟ ଓ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା । ଏହି ବୟାନ୍ ରେକର୍ଡ଼ ସମୟରେ ପୀଡ଼ିତାଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଭୁବନେଶ୍ୱର ଏମ୍ସରେ ମଧ୍ୟ ପୀଡ଼ିତାଙ୍କ ବୟାନ ରେକର୍ଡ଼ ହୋଇଥିଲା । ତେବେ ଗତକାଲି ପୀଡ଼ିତାଙ୍କ ସାନି ବୟାନ ରେକର୍ଡ଼ ପରେ ସେହି ବୟାନକୁ ଆଧାର କରି ତଦନ୍ତକୁ ଆହୁରି କ୍ରିୟାଶୀଳ କରିବା ସହ ଦୁର୍ବୃତଙ୍କ ନିକଟରେ ପହଂଚିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ଦଳ । ଏପରିକି ଘଟଣାସ୍ଥଳରୁ ମିଳିଥିବା ରୂପାମୁଦି ଥିଓରୀରୁ ପୋଲିସକୁ ମିଳିଛି କିଛି ନୂଆ ପ୍ରମାଣ । ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୋଲିସ ଏନେଇ ଗଣମାଧ୍ୟମ ନିକଟରେ କୌଣସି ତଥ୍ୟ ରଖିନି ।
ପ୍ରକାଶ ଥାଉକି, ଗତ ୧୯ ତାରିଖ ସକାଳେ ଏଭଳି ବର୍ବରୋଚିତ କାଣ୍ଡ ଘଟାଇଥିଲେ ତିନି ଦୁର୍ବୃତ । ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟିକୁ ଜଳନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ କିଛି ସ୍ଥାନୀୟ ଲୋକ । ସମ୍ପ୍ରତି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ