ଜୟପୁର, ୨୬ ଜୁଲାଇ (ହି.ସ.) - ରାଜ୍ୟରେ କମୁନି ମହିଳା ବିରୋଧୀ ଅପରାଧ। ଅବିଭକ୍ତ କୋରାପୁଟ ଜିଲ୍ଲା ଏଥିରୁ ବାଦ ପଡ଼ିନାହିଁ। ଦିନକୁ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାର ମହିଳାବିରୋଧୀ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ କୋରାପୁଟା ସ୍ଥିତ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଜେଡି ,ନେତା ଭୃଗୁ ବକ୍ସିପାତ୍ର,ପ୍ରଦୀପ ମାଝୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝିନ ହିକକା, ରଘୁରାମ ପଡ଼ାଲ, ପଦ୍ମିନୀ ଦିଆନ,ପ୍ରଭୁ ଜାନୀ ଜଗନ୍ନାଥ ସାରକା, ପିତମ ପାଢ଼ୀ, ସସ୍ମିତା ମେଲେକା, ରାଧା ବିନୋଦ ସାମନ୍ତରାୟ, ପାର୍ବତୀ ମସ୍ତି, ଲଲାଟ ରଞ୍ଜନ ସେଠୀଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ହଜାର ସଂଖ୍ୟକ ବିଜେଡି ନେତା ଏବଂ କର୍ମୀ ମାନେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘଟି ଯାଇଥିବା ମହିଳା ବିରୋଧୀ ଅପରାଧର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବି ପତ୍ର ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜିଙ୍କ ଜରିଆରେ ପ୍ରଦାନ କରାଯାଇଛି। କାର୍ଯ୍ୟାଳୟର ଅତିରିକ୍ତ ଏସପି କାର୍ତିକ ଚନ୍ଦ୍ର ମଲ୍ଲିକ ଦାବିପତ୍ର ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି